ରାଜ୍ୟରେ କାଲିଠୁ ସକାଳ ୬ ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜ଼ାର, କଟକ, ଭୁବନେଶ୍ୱର ଓ ପୁରୀରେ ବଳବତ୍ତର ରହିବ ସପ୍ତାହନ୍ତ ସଟଡାଉନ

lockdown

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । ତେବେ ଏଥର ସାମାନ୍ୟ କୋହଳ ରହିବ କଟକଣା ବୋଲି ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି । ଅଗଷ୍ଟ ମାସରେ ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ ରୁ ରାତି ୮ଟା ଯାଏଁ ଖୋଲା ରହିବ । ରାତି ୮ଟାରୁ ସକାଳ ୬ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ରହିବ ସପ୍ତାହାନ୍ତ ସଟଡାଉନ୍ । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ନିଷ୍ପତ୍ତିକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଘୋଷଣା କରିଛନ୍ତି ।

ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ ଉଦବେଗଜନକ ନୁହେଁ। ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା ଏସ୍‌ଆରସି କହିଛନ୍ତି।

ଅପରିପକ୍ଷେ ସାରା ରାଜ୍ୟରେ ମଲ୍, ସିନେମା ହଲ୍, ଥିଏଟର୍, ବାର୍, ରେଷ୍ଟୁରାଣ୍ଟ ଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଥିଏଟର ଗୁଡିକ ମଧ୍ୟ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ସିନେମା ହଲ୍, ଥିଏଟର, ରେଷ୍ଟୁରାଣ୍ଟ ଆଦି ପ୍ରବେଶ ପାଇଁ ବୟସ୍କମାନଙ୍କୁ ଦୁଇଟି ଯାକ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ।

ଖାଦ୍ୟ ପୁଡ଼ିଆ କିଣି ଘରକୁ ନେବାକୁ ପଡ଼ିବନି । ରେଷ୍ଟୁରାଣ୍ଟରେ ୫୦% ଲୋକ ବସି ଖାଇପାରିବେ । ସେହିଭଳି ରାସ୍ତାକଡ଼ ଜଳଖିଆ ଦୋକାନରେ ଛିଡ଼ା ହୋଇ ଲୋକମାନେ ଲୋକମାନେ ଜଳଖିଆ ଖାଇପାରିବେ ।

ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ଜିଲ୍ଲାପାଳମାନ ନେଇପାରିବେ । ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ସଂପୃକ୍ତ ପରିଚାଳନା କମିଟି ଉପରକୁ ଛଡ଼ାଯାଇଛି । କିନ୍ତୁ ଶ୍ରଦ୍ଧାଳୁମାନେ ଭୋଗ ନେଇ ପାରିବେ ନାହିଁ । ଯାହା ଫଳରେ ଭକ୍ତମାନେ କେବଳ ଦର୍ଶନ କରିପାରିବେ । ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।

ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ତେବେ ଯେତିକି ସିଟ୍ ସେତିକି ଲୋକ ବସି ଯାତ୍ରା କରିପାରିବେ । ଘରୋଇ ଗାଡ଼ି, ଟାକ୍ସି, ଅଟୋ ଆଦି ଚଳାଚଳ ପାଇଁ କିଛି କଟକଣା ନାହିଁ ।

ଅନ୍ୟପଟେ ଧାର୍ମିକ, ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇ ନାହିଁ । ବାଣିଜ୍ୟିିକ ମେଳା, ପ୍ରଦର୍ଶନ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି । ହେଲେ ବ୍ୟବସାୟିକ ମିଟିଂ ଓ ଉଦଘାଟନ ଆଦି ପର୍ବ ପାଇଁ ସୀମିତ ସଂଖ୍ୟକ ଲୋକଙ୍କ ଯୋଗଦାନକୁ ଅନୁମତି ଦିଆଯାଇଛି ।

ବିବାହରେ ୨୫, ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି । ବିବାହ ଭୋଜି ଉପରେ ପୂର୍ବପରି କଟକଣା ଜାରି ରହିବ । ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ଆୟତ୍ତ ହେବାରେ ଲାଗିଛି । କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସାରା ରାଜ୍ୟରୁ କରୋନା ଯାଇ ନାହିଁ । ତେଣୁ ସମସ୍ତେ ସମସ୍ତ କୋଭିଡ ଗାଇଡଲାଇନକୁ ପାଳନ କରିବା ସହ ସରକାରଙ୍କୁ ସହଯୋଗ କରିବା ପାଇଁ ଏସ୍‌ଆରସି ପ୍ରଦୀପ ଜେନା ନିବେଦନ କରିଛନ୍ତି ।

Related Posts