ଭୁବନେଶ୍ୱର,୨୬/୮(ସତ୍ୟପାଠ ବ୍ୟୁରୋ): ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ରବିବାର ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ଦୁଇ ଦିନରେ ଏହା ସ୍ପଷ୍ଟ ଚିହ୍ନିତ(ୱେଲ ମାର୍କଡ୍) ଲଘୁଚାପରେ ପରିଣତ ହେବ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଆଡ଼କୁ ଅଗ୍ରସର ହେବ । ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୪ ଦିନ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବି ଭାରୀ ବର୍ଷା ହୋଇପାରେ । ୨୮ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭାରୀ ବର୍ଷା ହେବ । ୨୯ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅଧିକ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିପାରେ । କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ରବିବାର ଭଦ୍ରକରେ ୧୯.୬, ସୁନ୍ଦରଗଡ଼ରେ ୧୯.୨ ଓ କୋରାପୁଟରେ ୧୦.୬ମିମି ବର୍ଷା ହୋଇଛି ।