ଭୁବନେଶ୍ୱର,୧/୧୦(ସତ୍ୟପାଠ ବ୍ୟୁରୋ): ନିଜର ଝିଅକୁ ବିବାହ କରାଇଲ, ହେଲେ ଅନ୍ୟର ଝିଅକୁ ସନ୍ୟାସୀ ହେବାକୁ ପ୍ରବର୍ତ୍ତାଉଛ କାହିଁକି? ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ | ତେବେ ସଦଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ଇଶା ଫାଉଣ୍ଡେସନ ନାଁରେ ଗୁରୁତର ଅଭିଯୋଗ ଆଣି ଜଣେ ଅବସରପ୍ରାପ୍ତ ପ୍ରଫେସର ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ସେ ଅଭିଯୋଗ କରିଥିଲେ ଯେ, ଇଶା ଫାଉଣ୍ଡେସନର ଯୋଗ ସେଣ୍ଟରରେ ତାଙ୍କର ଦୁଇ ଝିଅଙ୍କର ବ୍ରେନ ୱାସ କରାଯାଇଛି | ଏହା ପରଠାରୁ ସେମାନେ ଘରକୁ ନଆସି ସେଠାରେ ହିଁ ରହୁଛନ୍ତି | ତେଣୁ ତାଙ୍କର ଦୁଇ ଝିଅଙ୍କୁ କୋର୍ଟରେ ହାଜର କରିବାକୁ ସେ ଆବେଦନ କରିଥିଲେ |
ସୋମବାର ତାଙ୍କର ଦୁଇ ଝିଅ କୋର୍ଟରେ ହାଜର ହୋଇଥିଲେ | ହେଲେ ସେମାନେ ସବୁ ଅଭିଯୋଗକୁ ଖଣ୍ଡନ କରି ନିଜ ଇଛାରେ ଇଶା ଫାଉଣ୍ଡେସନର ଯୋଗ ସେଣ୍ଟରରେ ରହୁଥିବା କୋର୍ଟଙ୍କୁ ଜଣାଇଥିଲେ | ହେଲେ ମାମଲାର ଶୁଣାଣି ସମୟରେ ମାଡ୍ରାସ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ, ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ |
କୋର୍ଟ କହିଥିଲେ ଯେ, ଜଣେ ବ୍ୟକ୍ତି ଯିଏ ନିଜ ଝିଅର ବିବାହ କରାଇ ସାରିଛି, ସେ ଏବେ ଅନ୍ୟ ଯୁବତୀ ମାନଙ୍କୁ ସନ୍ୟାସୀ ଜୀବନ ବିତାଇବା ପାଇଁ କାହିଁକି ପ୍ରବର୍ତ୍ତାଉଛନ୍ତି ? ଯୁବତୀମାନଙ୍କୁ ଲଣ୍ଡା ହୋଇ ଏକାନ୍ତବାସରେ ରହିବାକୁ କାହିଁକି କହୁଛନ୍ତି ?
ତେବେ ଏନେଇ ଇଶା ଫାଉଣ୍ଡେସନ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ବୟସ୍କ ବ୍ୟକ୍ତି ମାନଙ୍କୁ ନିଜ ବିଷୟରେ ନିଷ୍ପତ୍ତି ନେବାର ସ୍ୱାଧୀନତା ରହିଛି | ଆମେ କାହାକୁ ସନ୍ୟାସୀ ହେବାକୁ କିମ୍ବା ବିବାହ ନକରିବାକୁ ଚାପ ପ୍ରୟୋଗ କରିନାହୁଁ | ଏହା ସମସ୍ତଙ୍କ ବ୍ୟକ୍ତିଗତ ମାମଲା | ସନ୍ୟାସ ନେଇନଥିବା ଓ ବିବାହ କରିଥିବା ହଜାର ହଜାର ଲୋକ ଆମ ଯୋଗ କେନ୍ଦ୍ରରେ ରହୁଛନ୍ତି |