ଭଦ୍ରକ ହିଂସାକୁ ନେଇ ନବୀନ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର,୧/୧୦(ସତ୍ୟପାଠ ବ୍ୟୁରୋ): ନିକଟରେ ଭଦ୍ରକରେ ଦେଖାଦେଇଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି | ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି | ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଏଥିପାଇଁ ଟାର୍ଗେଟ କରିଥିବା ବେଳେ ବିଜେପି ପକ୍ଷରୁ ନବୀନଙ୍କୁ ମଧ୍ୟ କଡା ଜବାବ ଦିଆଯାଇଛି | 

ଗତକାଲି ଶଙ୍ଖ ଭବନରେ ଭଦ୍ରକ ଜିଲ୍ଲା ବିଜେଡିର ସାଂଗଠନିକ ସ୍ଥିତି ସମୀକ୍ଷା ବେଳେ ନବୀନ କହିଥିଲେ ଯେ, ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା । କିନ୍ତୁ ଗତ ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି । ପ୍ରଥମେ ବାଲେଶ୍ୱର ପରେ ପରେ ଖୋର୍ଦ୍ଧା, ଧାମନଗର ଓ ଭଦ୍ରକରେ ସାମ୍ପ୍ରଦାୟିକ ଅଶାନ୍ତି ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଶାନ୍ତି ଓ ସଦଭାବ ଓଡିଶାର ପରିଚୟ । ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଭଦ୍ରକରେ ଗତ ୩ଦିନ ଧରି ସାଂପ୍ରଦାୟିକ ଅଶାନ୍ତି ମଧ୍ୟରେ ନବୀନଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ରାଜନୀତି ଆରମ୍ଭ ହୋଇଛି । 

ବିଜେପି ପକ୍ଷରୁ ନବୀନଙ୍କୁ କାଉଣ୍ଟର କରାଯାଇଛି | ଦଳର ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ଯେ, ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି । ନବୀନ ବାବୁ ନିଜେ କ୍ରମାଗତ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ।ସେ ପ୍ରଥମେ ଉତର ଦିଅନ୍ତୁ ଯେ, କନ୍ଧମାଳ ଦଙ୍ଗା ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ? ୨୦୧୭ରେ ରାମ ନବମୀ ସମୟରେ ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ଥିଲେ? ନିଜେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ୨୦୨୧ରେ ସମ୍ବଲପୁର ହନୁମାନ ଜୟନ୍ତୀ ସମୟରେ ହୋଇଥିବା ପଥରମାଡ ଆଉ ଦଙ୍ଗା ସମୟରେ ରାଜ୍ୟରେ କେଉଁ ଦଳ ଶାସନ କରୁଥିଲା ? ୨୪ ବର୍ଷରେ ଓଡିଶାରେ ଅଶାନ୍ତି ବାଂଟିଥିବା ନବୀନ ବାବୁ ଏବେ ନିଜର ରାଜନୈତିକ ରୁଟି ସେକିବା ପାଇଁ ଶେଷରେ ସାମ୍ପ୍ରଦାୟିକ ବୟାନ ବାଜି କରିବା ନିନ୍ଦନୀୟ ବୋଲି ବିଜେପି କହିଛି ।

ଅନ୍ୟପଟେ ଭଦ୍ରକ ଧାମନଗରରେ ସୋସିଆଲ ମିଡ଼ିଆ ପୋଷ୍ଟ କୁ ନେଇ ଉତ୍ତେଜନା ପରେ ଆଜି ପୋଲିସ ଡିଜି ସେଠାକୁ ଗସ୍ତ କରିଛନ୍ତି ।

Related Posts