ଇଡି ପଞ୍ଝାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶଳା: ବିଭିନ୍ନ ସ୍ଥାନରେ ରେଡ୍

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଞ୍ଝା ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶଳା । ଗୋଟିଏ ମନି ଲଣ୍ଡରିଂ ମାମଲାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହାର ଦୁଇ ସପ୍ତାହ ପୂର୍ବରୁ ଇଡି ପକ୍ଷରୁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ ସହଯୋଗୀ ଅନୀଲ ପରବଙ୍କ ସହ ସମ୍ପର୍କ ରଖିଥିବା ବିଭିନ୍ନ ଲୋକଙ୍କ ଠିକଣାରେ ରେଡ୍‌ କରିଥିଲେ।

ଆଜି ଇଡି ଉଦ୍ଧବଙ୍କ ଶାଳକଙ୍କୁ ଟାର୍ଗେଟ କରିଥିବାରୁ ଶିବସେନା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ରାଜନୀତିକ ସ୍ୱାର୍ଥ ହାସଲ କରିବାକୁ ଇଡି ପକ୍ଷରୁ ଏପରି ରେଡ୍‌ କରାଯାଇଥିବା ଶିବସେନା କହିଛି। ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଇଡି ଏବେ ରାଜନୀତିକ ଚାପରେ କାମ କରୁଛି।

ସେମାନେ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ଆମକୁ ମୁଣ୍ଡ ନୁଆଁଇବା ପାଇଁ ଚେଷ୍ଟା କରୁଛନ୍ତି। ବିଜେପି କ୍ଷମତାରେ ନଥିବା ସବୁ ରାଜ୍ୟରେ ଏପରି ଘଟଣା ଘଟୁଛି। ଗତକାଲି ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡି ଜେରା କରିଥିଲା। ଏହା ରାଜନୀତିକ ଆକ୍ରୋଶ ଛଡ଼ା କିଛି ନୁହେଁ। କିନ୍ତୁ ବେଙ୍ଗଲ କିମ୍ବା ମହାରାଷ୍ଟ୍ର କେହି ବି ଏହି ଚାପ ଆଗରେ ମୁଣ୍ଡ ନୁଆଁବେ ନାହିଁ।”

ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ରେଡ୍ ପଛରେ ରାଜନୀତିକ ଅଭିସନ୍ଧି ଥିବା କହିଛନ୍ତି। ସେ କହିଛନ୍ତି, “ଏସବୁ ରାଜନୀତିକ ବିଷୟବସ୍ତୁ। ୫ ବର୍ଷ ତଳେ କେହି ବି ଇଡି ବିଷୟରେ ଜାଣି ନଥିଲେ। ହେଲେ ଏବେ ସବୁ କଥାରେ ଇଡି ସାମ୍ନାକୁ ଆସୁଛି।”

ଇଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ”ଥାନେରେ ଥିବା ନିଳାମ୍ବରୀ ପ୍ରକଳ୍ପର ୧୧ଟି ଆବାସିକ ଫ୍ଲାଟକୁ ଜବତ କରାଯାଇଛି। ଏହି ଫ୍ଲାଟ ଗୁଡ଼ିକ ଶ୍ରୀ ସାଇବାବା ଗୃହନିର୍ମିତି ପ୍ରାଇଭେଟ ଲିଃ ନାଁରେ ରହିଥିଲା। ଶ୍ରୀ ସାଇବାବା ଗୃହନିର୍ମିତି ପ୍ରାଇଭେଟ ଲିଃର ମାଲିକ ହେଉଛନ୍ତି ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀଙ୍କ ଭାଇ ଶ୍ରୀଧର ମାଧବ ପଟନାକର।”

Related Posts