ମାନ୍ୟବରଙ୍କ ପାଇଁ ମହାପ୍ରଭୁଙ୍କୁ ସାଇଡ ମାରିଲା ମେନଷ୍ଟ୍ରିମ୍ ମିଡିଆ

ସତ୍ୟପାଠ ବ୍ୟୁରୋ, ୧୦/୦୫: ଗତକାଲି ହାଇକୋର୍ଟ ରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ରେ ବଡଦେଉଳ ର ପ୍ରତିବନ୍ଧିତ ଅଞ୍ଚଳ ମଧ୍ୟରେ ଚାଲିଥିବା ନିର୍ମାଣ ଓ ଖନନ ବିବାଦର ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ମୁରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକ ଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏ ମାମଲାର ସମ୍ପୂର୍ଣ ଶୁଣାଣି ଶେଷ ହୋଇନାହିଁ ତା ଛଡା ଖଣ୍ଡପୀଠ ଚୂଡାନ୍ତ ରାୟ ମଧ୍ୟ ପ୍ରକାଶ କରିନାହାନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ ୨୨ ତାରିଖ କୁ ରଖାଯାଇଛି। ମାନ୍ୟବର ହାଇକୋର୍ଟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଟିଏ ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ତାହେଲା, ଆସନ୍ତା ଜୁନ୍ ୨୦ ତାରିଖ ସୁଦ୍ଧା ରାଜ୍ୟ ସରକାର ଏ ଏସ ଆଇ ଦେଇଥିବା ସତ୍ୟପାଠ ର ଜବାବ ହାଇକୋର୍ଟଙ୍କୁ ପ୍ରଦାନ କରିବେ। ବାସ୍ ଏହାହିଁ ମୋଟାମୋଟି ୯ ତାରିଖରେ ବଡଦେଉଳ ମାମଲାରେ ହାଇଲାଇଟସ।

ସାମ୍ବାଦିକତାରେ ଏକ ସୁନ୍ଦର ସଂଜ୍ଞା ହେଉଛି, କ୍ଷମତାକୁ ସତ୍ୟ କହିବା ଓ ଜବାବଦେହୀ କରିବା କିନ୍ତୁ ଗତକାଲି ଏହି ମାମଲାରେ ଯେଉଁ ସାଂଘାତିକ ତଥ୍ୟ ସାମନାକୁ ଆସିଲା ତାହା ଏବେ ସବୁଠି ଚର୍ଚ୍ଚା। ତାହାହେଉଛି ଏ ଏସ ଆଇର ସତ୍ୟପାଠ। ବହୁ ଟଣା ଓଟରା ପରେ ଏ ଏସ ଆଇ ଯେଉଁ ସତ୍ୟପାଠ ଦାଖଲ କଲା ସେଥିରେ ବହୁ ସାଂଘାତିକ ତଥ୍ଯ ଉପସ୍ଥାପନ କରିଛି। ଯାହାକି ରାଜ୍ୟର ଯେଉଁ ସବୁ ପ୍ରମୁଖ ମୁଖ୍ୟସ୍ରୋତ ବା ମେନଷ୍ଟ୍ରୀମ ଖବରକାଗଜ ରହିଛି ସେମାନଙ୍କ ପାଇଁ ଜବରଦସ୍ତ ଖୋରାକ। ସ୍ଵାଭାବିକ ଭାବରେ ଏ ଏସ ଆଇ ର ରିପୋର୍ଟ ହିଁ ହେଡଲାଇନ ହେବାକଥା କାରଣ ଉଦ୍ଦେଶ୍ୟ ଯେତେ ମହତ୍ ହେଉନା କାହିଁକି, ଆଇନ୍ ର ଶାସନ ହିଁ ସର୍ବପ୍ରଥମ। ଶ୍ରୀ ମନ୍ଦିରକୁ ନବୀନ ବାବୁ ଗଙ୍ଗ ବଂଶୀ ଅନନ୍ତ ବର୍ମଣ ଚୋଡଗଙ୍ଗଦେବଙ୍କ ଠାରୁ ଆହୁରି ଅଧିକ ସୁନ୍ଦର କରିବାକୁ ସ୍ବପ୍ନ ଦେଖୁଥାଇପାରନ୍ତି। ମାତ୍ର ସେଥିପାଇଁ ଏ ଦେଶରେ ନିର୍ଦ୍ଦିଷ୍ଟ ନିୟମ କାନୁନ ରହିଛି। ହାଇକୋର୍ଟ ରେ ASI ର ସତ୍ୟପାଠ ସ୍ପଷ୍ଟ କରିଦେଲା ଯେ ରାଜ୍ୟ ସରକାର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ନୀତି ନିୟମ ସହ ଫୁଟବଲ ଭଳିଆ ଖେଳିଛନ୍ତି। ଯେଉଁମାନଙ୍କ କାମ ଆଇନ୍ ଶାସନ କୁ ସୁରକ୍ଷିତ ରଖିବା। ଉଭୟ ବିଧାନମଣ୍ଡଳ ଓ କାର୍ଯ୍ୟପାଳିକା ମିଳିମିଶି ଆଇନକୁ ଭାଙ୍ଗିଲେ। ତା ଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମେନଷ୍ଟ୍ରୀମ ମିଡ଼ିଆର ଭୂମିକା। ସରକାର ବେଆଇନ୍ ଭାବରେ ଶ୍ରୀ ମନ୍ଦିର ଭଳି ଅତିସମ୍ବେଦନଶିଳ ଐତିହ୍ୟ ସ୍ଥଳୀରେ ମନଇଛା ଖୋଳିଲେ, ଭାଙ୍ଗିଲେ, ନିର୍ମାଣ କାମ କଲେ, ଅଥଚ ସେଇଟା ହେଡ୍ ଲାଇନ୍ ହେଲା ନାହିଁ।

ସତ୍ୟପାଠ ପକ୍ଷରୁ ରାଜ୍ୟରୁ ପ୍ରକାଶିତ ୬ ଟି ପ୍ରମୁଖ ଖବକାଗଜ ରେ କିଏ କିଭଳି ଏ ଖବରକୁ ନେଇଛି ତାହାକୁ ବିଚାରକୁ ନିଆଯାଇଥିଲା। ସମ୍ବାଦ, ସମାଜ, ପ୍ରମେୟ ଓ ସକାଳ ଏହି ୪ ଟି ପେପରରେ ହେଡ ଲାଇନ୍ ଓ ପାଠ ପ୍ରାୟ ସମାନ । ” ରହିତାଦେଶ ଦେଲେନି ହାଇକୋର୍ଟ, ନିର୍ମାଣ କାର୍ଯ୍ୟ ଚାଲୁ ରହିବ”। ASI ସତ୍ୟପାଠ ର ମୁଖ୍ୟାଂଶ କୁ ହାଲୁକେଇକି ନିଆଯାଇଛି।

ଧରିତ୍ରୀ ଓ ପ୍ରଗତିବାଦୀ ର ହେଡ଼ ଲାଇନ୍ ଅଲଗା ରହିଛି। ଏହି ଦୁଇ ପେପର ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, ବିନା ଅନୁମତି ରେ ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ କରିଛନ୍ତି।

ଅନେକ ଏହାକୁ ନେଇ ପ୍ରଶ୍ନ ଉଠେଇ ପାରନ୍ତି ହାଇକୋର୍ଟ ତ କିଛି କହିନାହାନ୍ତି, ତେଣୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯିବା ଗ୍ରହଣୀୟ ନୁହଁ। ହାଇକୋର୍ଟ କୁହନ୍ତୁ ବା ନ କୁହନ୍ତୁ, ଆଇନ୍ ଅତି ସ୍ପଷ୍ଟ ଭାବରେ ପାରିଭାଷିତ। ASI ହିଁ ବଡଦେଉଳ ନିଷିଦ୍ଧ ଓ ନିୟନ୍ତ୍ରିତ ଅଞ୍ଚଳର ଦେଖାଶୁଣା କରୁଥିବା ଏକମାତ୍ର ସଂସ୍ଥା। ତା ବିନା ଅନୁମତିରେ ନିଷିଦ୍ଧ ଅଞ୍ଚଳରେ କୌଣସି କାମ କେହି କରିପାରିବେ ନାହିଁ ଏପରିକି ରାଜ୍ୟ ସରକାର ମଧ୍ୟ ନୁହଁ। କୌଣସି ଖନନ ଓ ନିର୍ମାଣ କାମର ଅନୁମତି ଦେବାପାଇଁ କମ୍ପିଟେଣ୍ଟ ଅଥରିଟି ହେଉଛି ASI। କିନ୍ତୁ ଏ କ୍ଷେତ୍ରରେ ସରକାର କେବଳ ନିୟମ ଭାଙ୍ଗିନାହାନ୍ତି ବରଂ ତଥ୍ଯ ଲୁଚାଇଛନ୍ତି, ସାଂସଦ, ମନ୍ତ୍ରୀଂକ ଠାରୁ ବରିଷ୍ଠ ଅଧିକାରୀ ମାନେ ମିଛ କହିଛନ୍ତି।

କଣ ରହିଛି ASI ସତ୍ୟପାଠରେ?

ଖନନ ଓ ନିର୍ମାଣ କାର୍ଯ୍ୟ ଯାଞ୍ଚ ସମୟରେ ନିମ୍ନଲିଖିତ ନୀରିକ୍ଷଣ କରାଯାଇଥିଲା |

୧. ସଂରକ୍ଷିତ ସ୍ମାରକୀ ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀର ଉଭୟ ନିଷିଦ୍ଧ ତଥା ନିୟନ୍ତ୍ରିତ ଅଞ୍ଚଳରେ କିଛି ଅଂଶରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।

୨. ଯାଞ୍ଚ ସମୟରେ ଟିମ୍ ନିର୍ମାଣାଧୀନ ସୌଚାଳୟ, ଆଶ୍ରୟସ୍ଥଳ ପ୍ୟାଭିଲିୟନ୍, ବସ୍ତ୍ର କୋଠରୀ, ଇଲେକ୍ଟ୍ରିକାଲ୍ ରୁମ୍, ରିସେପସନ୍ ସେଣ୍ଟର୍ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭବନ ଇତ୍ୟାଦି ବିଭିନ୍ନ କାର୍ଯ୍ୟ ସ୍ଥାନ ପରିଦର୍ଶନ କରିଥିଲେ |

୩. ଆଲୋଚନା ସମୟରେ କାର୍ଯ୍ୟନିର୍ବାହୀ ଏଜେନ୍ସି OBCC ର ପରିଚାଳନା ନିର୍ଦ୍ଦେଶକ ଏହା ସୂଚନା ଦେଇଛନ୍ତି ଯେ, ଆଜି ପର୍ଯ୍ୟନ୍ତ ଷ୍ଟ୍ରକଚରାଲ୍ ନିର୍ମାଣ କାର୍ଯ୍ୟକଳାପ ପାଇଁ ଏବଂ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ପାଇଁ NMA ବା ଦକ୍ଷ ପ୍ରାଧିକରଣର କୌଣସି ଅନୁମତି କିମ୍ବା ଅନୁମୋଦନ ଉପଲବ୍ଧ ନାହିଁ |

୪. କାର୍ଯ୍ୟନିର୍ବାହୀ ଏଜେନ୍ସି OBCC ର ପରିଚାଳନା ନିର୍ଦ୍ଦେଶକ ଅଧିକ ସୂଚନା ଦେଇଛନ୍ତି ଯେ ଅନେକ ଜାଗାରେ, ଯୋଜନା, ଉଚ୍ଚତା ଏବଂ ପ୍ରକଳ୍ପ ଡିଜାଇନ୍ରେ ପରିବର୍ତ୍ତନ କରାଯାଇଅଛି।, ଯାହା ସେମାନେ 15 ଜୁଲାଇ 2021 ରେ NMA ରେ ଦାଖଲ କରିଛନ୍ତି ଏବଂ 17 ଅଗଷ୍ଟରେ୨୦୨୧ ରେ NMA କୁ ଏକ ପ୍ରେଜେଣ୍ଟେଶନ ମଧ୍ୟ ଦିଆଯାଇଛି।

୫. ସଂଶୋଧିତ ପ୍ରସ୍ତାବରେ ବିଭିନ୍ନ ଷ୍ଟ୍ରକଚରାଲ୍ ୟୁନିଟ୍ ର ଉଚ୍ଚତା ବୃଦ୍ଧି କରାଯାଇଛି ଏବଂ ଅଧିକ ୟୁନିଟ୍ ଯୋଗ କରାଯାଇଛି।

୬. ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର (SJRC) ପାଇଁ ଫାଉଣ୍ଡେସନ ଟ୍ରେଞ୍ଚ ଦକ୍ଷିଣ-ପୂର୍ବ ଦିଗରେ ବଡଦେଉଳ ନିଷିଦ୍ଧ ଅଞ୍ଚଳ ମଧ୍ୟରେ ଖୋଳା ହୋଇସାରିଛି | ତେବେ ନିଷିଦ୍ଧ ସୀମାଠାରୁ SJRC କୁ ସ୍ଥାନାନ୍ତର କରାଯିବ ବୋଲି ଡିଏମ, ପୁରୀ ସୂଚନା ଦେଇଛନ୍ତି।

୭. ଅନେକ ସ୍ଥାନରେ, ଏହା ସ୍ପଷ୍ଟ ଯେ ପ୍ରାୟ 15 ରୁ 20 ଫୁଟର ଷ୍ଟ୍ରାଟିଫାଏଡ଼ ସଏଲ ଡିପୋଜିଟ କୁ ଖୋଳି ବାହାର କରାଯାଇଛି। ଯାହା ଶ୍ରୀ ମନ୍ଦିର ଐତିହ୍ୟ ସ୍ଥଳର ଅପୂରଣୀୟ କ୍ଷତି ଘଟାଇଛି | ଆଲୋଚନା ସମୟରେ, ଓବିସିସି ଅଧିକାରୀମାନେ ମୃତ୍ତିକା ଅପସାରଣର ପଦ୍ଧତି ଏବଂ ଖନନରୁ ସାଂସ୍କୃତିକ ଅନୁସନ୍ଧାନ ବିଷୟରେ ସମ୍ପୂର୍ଣ ଅନଭିଜ୍ଞ ଥିଲେ।

୮. ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ କୌଣସି ହେରିଟେଜ୍ ଇମ୍ପାକ୍ଟ ଆସେସମେଣ୍ଟ ଷ୍ଟଡିଜ୍ କରାଯାଇ ନାହିଁ |

୯. କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀଗୁଡିକର 75 ମିଟର ବ୍ୟାସାର୍ଦ୍ଧ (ନିର୍ମାଣ ଜୋନ୍) ର ଭୂତଳ ଭୂମିରେ ପୋତି ହୋଇଥିବା ପ୍ରତ୍ନତାତ୍ତ୍ୱିକ ଏବଂ ଐତିହାସିକ ଗୁରୁତ୍ୱ ଜାଣିବା ପାଇଁ କୌଣସି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ (GPRS) କରାଯାଇ ନାହିଁ |

୧୦. ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍, ଭୁବନେଶ୍ୱର ସର୍କଲ୍ ସୂଚନା ଦେଇଛନ୍ତି ଯେ ଶ୍ରୀ ମନ୍ଦିର ପାରିକ୍ରମା ପ୍ରକଳ୍ପର ସଂଶୋଧିତ DPR ଏପ୍ରିଲ୍ ୬ 2022 ରେ SJTA ଦ୍ବାରା ଦାଖଲ କରାଯାଇଛି।

  1. କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଶ୍ରୀ ମନ୍ଦିର ଚାରିପାଖରେ ଅବସ୍ଥିତ ମଠ ଗୁଡ଼ିକର ପୁନଃନିର୍ମାଣ ଏବଂ ନବୀକରଣ ବିଷୟରେ ରାଜ୍ୟ ସରକାରଙ୍କ DPR ସମ୍ପୂର୍ଣ ନିିରବ ବା ଏ ବିଷୟରେ DPR ରେ କିଛି ବି ଉଲ୍ଲେଖ ନାହିଁ | ଆଲୋଚନା ସମୟରେ, MD OBCC ଙ୍କୁ ସେହି ମଠ ଗୁଡ଼ିକର ବିସ୍ତୃତ ସ୍ଥିତି ଚିତ୍ର ଏବଂ ଫଟୋଗ୍ରାଫ୍ ଏବଂ ମରାମତି ଏବଂ ନବୀକରଣର ପ୍ରସ୍ତାବିତ କାର୍ଯ୍ୟ ର ପ୍ରୋପୋଜାଲ ଦାଖଲ କରିବାକୁ ଅନୁରୋଧ କରାଯାଇଛି |
  2. ସାଇଟ୍ ଯାଞ୍ଚ ଏବଂ ଆଲୋଚନା ସମୟରେ କାର୍ଯ୍ୟକାରୀକାରୀ ସଂସ୍ଥା OBCC ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବଡଦେଉଳର 46 ମିଟର ଦୂରରେ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଚାରିପାଖରେ ଖଣ୍ଡୋଲାଇଟ୍ ପଥର ରେ ଏକ ପାଚେରୀ ନିର୍ମାଣ କରିବାର ବ୍ୟବସ୍ଥା ଅଛି, କିନ୍ତୁ ସବିଶେଷ ତଥ୍ୟ DPR ରେ ଉଲ୍ଲେଖ କରାଯାଇ ନାହିଁ |
  3. ଉପସଂହାର
  4. ମିଳିତ ଯାଞ୍ଚ ସମୟରେ ଓବିସିସି ଏବଂ SJTA ଅଧିକାରୀଙ୍କ ସହ ଅନସାଇଟ୍ ଆଲୋଚନା ପରେ ଏହା ଜଣାପଡିଛି ଯେ ଶ୍ରୀ ମନ୍ଦିର ପାରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଦକ୍ଷ ପ୍ରାଧିକରଣ ବା କମ୍ପିଟଣ୍ଟ ଆଥରିଟି ଦ୍ବାରା ବୈଧ ଅନୁମତି ବା NOC ନିଆଯାଇନାହିଁ |
  5. ଏଏସଆଇ କୁ ପ୍ରଦତ୍ତ ସଂଶୋଧିତ DPR ରେ ଦିଆଯାଇଥିବା ଚିତ୍ର ଏବଂ ଷ୍ଟ୍ରକଚରାଲ ଡିଜାଇନ୍ NMA କୁ ଦିଆଯାଇଥିବା ପ୍ରପୋଜାଲ ମଧ୍ୟରେ ତାଳମେଳ ନାହିଁ। ତାଛଡା ଡିଜାଇନ୍ ରେ ବାରମ୍ବାର ପରିବର୍ତ୍ତନଗୁଡିକ ଲକ୍ଷ୍ୟ କରାଯାଇଛି |
  6. ଖନନ / ମୃତ୍ତିକା ଅପସାରଣ ସମୟରେ ଏଜେନ୍ସି (OBCC) ଶ୍ରୀ ମନ୍ଦିର ଐତିହ୍ୟ ସ୍ଥଳର ପ୍ରତ୍ନତାତ୍ତ୍ୱିକ ଅବଶିଷ୍ଟାଂଶକୁ ନଷ୍ଟ କରି ଦେଇଥିବାର ସମସ୍ତ ସମ୍ଭାବନା ଅଛି |

ଏଠାରେ ପ୍ରଶ୍ନ, ଆଉ ଅଧିକ କଣ ତଥ୍ଯ ପାଇଥିଲେ ଏମାନେ ସରକାରଙ୍କୁ ସତ୍ୟ କଣ ବୋଲି ପ୍ରଶ୍ନ କରିଥାନ୍ତେ?

Related Posts