ଆସନ୍ତାକାଲି ଠାରୁ ଆରମ୍ଭ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌

ଭୁବନେଶ୍ବର: ଆସନ୍ତାକାଲି (ନଭେମ୍ବର ୩୦) ଠାରୁ ଆରମ୍ଭ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ । ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି ବ୍ୟବସାୟିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ରାଜ୍ୟ ସରକାର ୧୨୦ରୁ ୧୩୦ ପୁଞ୍ଜି ନିବେଶ ପ୍ରସ୍ତାବ ଆସିବ ବୋଲି ଆଶା ପ୍ରକଟ କରିଛନ୍ତି । ୧୦୦ରୁ ଅଧିକ ବଡ଼ ବଡ଼ ଶିଳ୍ପପତି ଯୋଗଦେବେ । ମେଟାଲ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସ୍ ଟାଇଲ, ଫୁଡ଼ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଆଇ ଟି ସେକ୍ଟର ଉପରେ ଅଧିକ ଫୋକସ ରଖାଯାଇଛି । ଜାପାନ, ଜର୍ମାନ, ନରୱେ କଣ୍ଟ୍ରି ପାର୍ଟନର ରହିଛନ୍ତି।

ରାଜ୍ୟକୁ ସ୍ୱାବଲମ୍ବୀ କରିବା ଏବଂ ରାଜ୍ୟକୁ ସମୃଦ୍ଧ କରିବା ଦିଗରେ ଏହି ପଦକ୍ଷେପ ନିଆଯାଉଛି। ଭାଗ ନେବାକୁ ପ୍ରାୟ ୧୧ ହଜାର ୬ ଶହ ପଞ୍ଜିକରଣ ହୋଇଛି । ସରକାରଙ୍କ ୨୨ ଟି ବିଭାଗର ସହଯୋଗରେ ମେକ ଇନ ଓଡ଼ିଶା ମହାକୁମ୍ଭର ଆୟୋଜନ କରାଯାଇଛି । ଏଥିରେ ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଏଲ୍. ଏନ୍. ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସସ ଲିମିଟେଡ଼ ଚେୟାରମ୍ୟାନ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଚେୟାରମ୍ୟାନ୍ ସାଜନ ଜିନ୍ଦଲ, ଜେଏସପିଏଲ୍ ଚେୟାରମ୍ୟାନ ନବୀନ ଜିନ୍ଦଲ, ଟାଟା ଷ୍ଟିଲ୍ ସିଇଓ ତଥା ଏମ୍ଡି ଟି ଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବେ । ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

ଏହି କନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ୧୨୪ ଜଣ ବକ୍ତା ରହିଛନ୍ତି । ଏହାପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜିତ ହୋଇସାରିଛି। ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମୋଟ ପାଞ୍ଚ ଦିନ ଧରି ଏହି ସମ୍ମିଳନୀ ଜାରି ରହିବ। ତେବେ ୨୦୧୬ରେ ହୋଇଥିବା କନକ୍ଲେଭରେ ୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା। ସେଥିରୁ ୩୫ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି । ୨୦୧୮ରେ ୪ ଲକ୍ଷ ୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ସେଥିରୁ ୪୦ ପ୍ରତିଶତ ବାସ୍ତବ ରୂପ ନେଇଛି । କୋଭିଡ ମହାମାରୀ ମଧ୍ୟରେ ମଧ୍ୟ ୩ ଲକ୍ଷ କୋଟି ଟଙ୍କା ଇଣ୍ଟେଣ୍ଟ ଆସିଥିଲା । ୨୦୨୮ ସୁଦ୍ଧା ଓଡ଼ିଶା ଷ୍ଟିଲ ଏବଂ ଆଲୁମିନିୟମ ଉତ୍ପାଦନରେ ପ୍ରଥମ ହେବ । ଖଣି, ପାଣି, ଜମି ଏବଂ ପୋର୍ଟ ଏଠି ଥିବାରୁ ଇଣ୍ଡଷ୍ଟ୍ରି ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଯୁବପିଢ଼ିଙ୍କୁ ଆଖି ଆଗରେ ରଖି ଏହି ସମ୍ମିଳନୀ କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି

Related Posts