ସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଶୁଣି ରାଗରେ ମଞ୍ଚକୁ ଗଲେ ନାହିଁ ମମତା ବାନାର୍ଜୀ

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନୁଷ୍ଠ ହୋଇ ସଭା ମଞ୍ଚକୁ ଉଠି ନାହାନ୍ତି। ସେ ସଭା ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ ବସିଥିଲେ । ତେବେ ତାଙ୍କୁ ସଭାମଞ୍ଚକୁ ଆସିବା ଲାଗି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନେକ ବୁଝାଇଥିଲେ ହେଲେ ସେ ଏତେମାତ୍ରାରେ ଅସନ୍ତୁଷ୍ଟ ହୋଇପଡିଥିଲେ ଯେ ମଞ୍ଚକୁ ଉଠିନଥିଲେ। ଏପରିକି ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ହାତ ଯୋଡି ମମତାଙ୍କୁ ଅନୁରୋଧ କରିଥିଲେ ବି ସେ ସଭାମଞ୍ଚକୁ ଯାଇ ନଥିଲେ। ତେବେ ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ମମତା ବାନାର୍ଜୀ ସଭାସ୍ଥଳରେ ପହଞ୍ଚିବାମାତ୍ରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଏଥିରେ ମମତା ଭୀଷଣ ଚିଡିଯାଇଥିଲେ ଓ ସଭାମଞ୍ଚକୁ ଉଠି ନଥିଲେ।

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ୭ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରଥମ ତଥା ଦେଶର ସପ୍ତମ ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନ ହୱଡା ଓ ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ। ଏହି କାର୍ଯ୍ୟକ୍ରମ ବ୍ୟତୀତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀଙ୍କ ମାତୃ ବିୟୋଗ ହୋଇଛି। ଅହମ୍ମଦାବାଦ ହସ୍ପିଟାଲରେ ହୀରା ବା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ପ୍ରତ୍ୟୁଷରେ ଅହମ୍ମଦାବାଦ ଯାଇଥିଲେ। ଏଣୁ ପଶ୍ଚିମବଙ୍ଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପାରିବେ କି ନା ସେ ନେଇ ସନ୍ଦେହ ଉପୁଜିଥିଲା। ତେବେ ପ୍ରଧାନମନ୍ତ୍ରୀ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଯୋଗ ଦେବେ ବୋଲି ନିଷ୍ପତ୍ତି ନେଇଥିବା ବେଳେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି।

Related Posts