କୋଲିକତା(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ତୃଣମୂଳ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏନେଇ ଦଳର ମହାସଚିବ ପାର୍ଥ ଚାଟାର୍ଜୀ ସୂଚନା ଦେଇଛନ୍ତି । ସେପଟେ ମମତା ବାନାର୍ଜୀ ଦଳୀୟକର୍ମୀଙ୍କ କୌଣସି ବିରୋଧ ବିନା ଏଥର ମଧ୍ୟ ଦଳର ସଭାପତି ହୋଇଛନ୍ତି । ପାଞ୍ଚ ବର୍ଷ ପରେ ଟିଏମସିରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ବର୍ତ୍ତମାନ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସକୁ ଜାତୀୟ ସ୍ତରରେ ନେବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ଅନେକ ଥର ଦିଲ୍ଲୀ ଯାଇ ବିରୋଧୀଙ୍କୁ ଭେଟୁଥିବାର ସୂଚନା ମିଳିଛି ।
କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ଟିଏମସି ପକ୍ଷରୁ ଦଳର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ବ୍ୟତୀତ ଅନ୍ୟ ସମସ୍ତ ଦଳକୁ ନିମନ୍ତ୍ରଣ କରାଯାଇଥିଲା। କଂଗ୍ରେସ ଠାରୁ ଅଲଗା ହେବା ପରେ ୧୯୯୮ ରେ ତୃଣମୂଳ କଂଗ୍ରେସ ଦଳ ସୃଷ୍ଟି ହୋଇଥିଲା। ୨୦୦୧ ଏବଂ ୨୦୦୬ ରେ ନିର୍ବାଚନ ହାରିଯିବା ପରେ ଦଳ ୨୦୧୧ ରେ କ୍ଷମତାକୁ ଆସିଥିଲା। ସେବେଠାରୁ ଏହି ଦଳ ରାଜ୍ୟସଭା ନିର୍ବାଚନରେ ଜିତି ଆସୁଥିଲା। ଗତ ବର୍ଷ ମେ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୨୯୪ ଟି ଆସନ ମଧ୍ୟରୁ ୨୧୩ ଟି ପାଇବା ପରେ ଦଳ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିଥିଲା।





