
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ୬ ବର୍ଷ ପୂର୍ବେ ୨୦୧୫ ମସିହାରେ ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁାରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ତେବେ ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିଥିବା ବିଜେପିର ଦେବାଶିଷ ଆଚାର୍ଯ୍ୟଙ୍କର ଗୁରୁବାର ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ କିଛି ଅଜଣା ବ୍ୟକ୍ତିଙ୍କ ଦ୍ବାରା ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । ଆଉ କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ରହସ୍ୟ ଜନକ ମୃତ୍ୟୁକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଦେବାଶିଷ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ମିଦନାପୁରର ତାମୁଲକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ତାଙ୍କର ହଠାତ୍ ମୃତ୍ୟୁ ଖବର ପାଇବା ପରେ ଦେବଶିଷଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଥିଲେ। ସେମାନେ ଦାବି କରିଥିଲେ ଯେ ଦେବଶିଷଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟିର ଅନେକ ନେତା ତାଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି । 2015 ରେ ଏକ ସାଧାରଣ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡ଼ା ମାରିବା ପରେ ଦେବାଶିଷ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ଦେବାଶିଷଙ୍କୁ ପୋଲିସ ଗିରଫ କରିଥିଲା। ପରେ ଅଭିଷେକ ତାଙ୍କୁ କ୍ଷମା କରି ତାଙ୍କୁ ମୁକ୍ତ କରିବାକୁ କହିଥିଲେ। ସୂଚନାଯୋଗ୍ୟ ଯେ ଫେବୃଆରୀ ଦେବାଶିଷ ୨୦୨୦ରେ ବିଜେପିରେ ସାମିଲ୍ ହୋଇଥିଲେ।