୨୦୨୪ ନିର୍ବାଚନ ପୂର୍ବରୁ ମମତାଙ୍କ ରଣହୁଙ୍କାର : ” ସାରା ଦେଶରେ ‘ଖେଲା’ ହବ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗର ଐତିହାସିକ ବିଜୟ ପରେ ମିଶନ ୨୦୨୪ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରି ଆଗାମୀ ଲୋକସଭା ନିର୍ବାଚନରେ ମୋଦୀଙ୍କୁ ଚକମା ଦେବା ପାଇଁ ଟିଏମସି ସୁପ୍ରିମୋ ଏବେ ଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି । 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ‘ଖେଲା ହୋବେ’ ନାରା ଦେଇ ବିଜେପିର ବିଜୟ ରଥକୁ ରୋକିଥିବା ମମତା ଏବେ ସାରା ଦେଶରେ ଖେଲା ହବ ବୋଲି କହିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ସାରା ଦେଶରେ ଏକାଠି କରିବେ ବୋଲି ମମତା ବାନାର୍ଜୀ ଏକ ସଙ୍କେତ ଦେଇଛନ୍ତି।

ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ସହ ତାଙ୍କ ସମ୍ପର୍କ ଭଲ ଅଛି ବୋଲି ମମତା କହିଛନ୍ତି। ସେ କହିଛନ୍ତି, “ମୁଁ ଜଗନ, ନବୀନ ବାବୁ, ଚନ୍ଦ୍ରବାବୁ, ଷ୍ଟାଲିନ, ଉଦ୍ଧବ ଠାକରେ ଓ ହେମନ୍ତ ସୋରେନଙ୍କ ସହ ଭଲ ସମ୍ପର୍କ ରଖିଛି। ଯଦି କୌଣସି ରାଜନୈତିକ ଝଡ଼ ସୃଷ୍ଟି ହୁଏ , ତା’ହେଲେ ଏହାକୁ କେହି ଅଟକାଇ ପାରିବେ ନାହିଁ। 

ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ହେଲେ, ସେଠାରେ ଥିବା ରାଜନୈତିକ ଦଳଗୁଡ଼ିକୁ ଏ ଦିଗରେ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ଯଦି ରାଜନୈତିକ ଦଳଗୁଡ଼ିକ ଗମ୍ଭୀର ହୁଅନ୍ତି ତେବେ ୬ ମାସ ମଧ୍ୟରେ ଏହାର ଫଳାଫଳ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।”

 ଜୁଲାଇ ୨୭ ରେ କଂଗ୍ରେସ ନେତା ଦିଗବିଜୟ ସିଂ ଏବଂ ଆନନ୍ଦ ଶର୍ମାଙ୍କୁ ଭେଟିବା ପରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଏହି ବୈଠକରେ ମମତା ବାନାର୍ଜୀ ପେଗାସସ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକିବା ଉଚିତ ଏବଂ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ଦାବି କରିଛନ୍ତି ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ  ନିକଟରେ ଟୀକାକରଣ ପ୍ରସଙ୍ଗ ଉଠାଇଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ମଙ୍ଗଳବାର ଦିନ ମମତା କଂଗ୍ରେସ ନେତା ଆନନ୍ଦ ଶର୍ମା ଏବଂ କମଲ ନାଥଙ୍କୁ ମଧ୍ୟ ଭେଟିଥିଲେ।  

 ସୂଚନାଯୋଗ୍ୟ ଯେ, ପେଗାସସ୍ ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁପସ୍ଥିତ ଥିଲେ । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କରାଯାଉଥିବା ସବୁ ଆନ୍ଦୋଳନ ସପକ୍ଷରେ ସେ ଅଛନ୍ତି ।

ତେବେ ଆଗାମୀ ଦିନରେ ବିରୋଧୀ ମେଣ୍ଟର ନେତୃତ୍ବ କରିବେ କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ , ସେ ଜ୍ୟୋତିଷ ନୁହଁନ୍ତି ଯେ ଏକଥା ଆଗୁଆ କହିପାରିବେ । ସେ କେବଳ ଜଣେ ସାଧାରଣ କର୍ମୀ ଓ କର୍ମୀ ଭାବରେ ହିଁ କାମ କରିବାକୁ ଚାହାନ୍ତି ।

Related Posts