ପରଲୋକରେ ପାରିକର

ସନ୍ଧ୍ୟା ୫ଟାରେ ଶେଷକୃତ୍ୟ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ରବିବାର ପରଲୋକ ହୋଇଯାଇଛି । ତାଙ୍କୁ ୬୩ ବର୍ଷ ହୋଇଥିଲା । କର୍କଟ ରୋଗରେ ପୀଡ଼ିତ ଥିବା ପାରିକରଙ୍କର ଅବସ୍ଥା ଗତକାଲିଠାରୁ ସଙ୍କଟାପନ୍ନ ହୋଇଯାଇଥିଲା । ତାଙ୍କୁ ଗତ ସନ୍ଧ୍ୟାରୁ ଲାଇଫ୍ ସପୋର୍ଟିଂ ସିଷ୍ଟମରେ ରଖାଯାଇଥିଲା । ଡାକ୍ତରମାନଙ୍କର ସମସ୍ତ ଉଦ୍ୟମ ସତ୍ୱେ ରବିବାର ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ସୋମବାର ସକାଳ ସାଢେ ୯ଟାରୁ ସାଢେ ୧୦ଟା ଯାଏଁ ତାଙ୍କ ପାର୍ଥିବ ଶରୀରକୁ ପାଣାଜି ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ରଖାଯିବ । ସାଢେ ୧୦ଟାରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯିବ । ସେଠାରେ ସର୍ବ ସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସେଠାରେ ତାଙ୍କ ପାର୍ଥିବ ଶରୀରକୁ ରଖାଯିବ । ୪ଟାରୁ ଦେଶର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସନ୍ଧ୍ୟା ୫ଟାରେ ପାଣାଜିଠାରୁ ପ୍ରାୟ ୪ କିଲୋମିଟର ଦୂର କାମ୍ପାଲର ଏସଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମେ ଟୁଇଟ୍ କରି ଏହି ଦୁଃଖଦ ଖବର ଜଣାଇଥିଲେ । ପାରିକରଙ୍କ ପାଇଁ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସୋମବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ ଏବଂ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଛି ।

ଗତବର୍ଷ ଫେବୃଆରୀରେ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିବା ପରଠାରୁ ଆମେରିକା, ଦିଲ୍ଲୀ ଏମ୍ସ ଏବଂ ଗୋଆ ସମେତ ମୁମ୍ବାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ୬୩ ବର୍ଷୀୟ ପାରିକରଙ୍କୁ ଶେଷରେ ମୃତ୍ୟୁ ପାଖରେ ହାର ମାନିବାକୁ ପଡ଼ିଥିଲା ।

ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅସ୍ଥିର ରହୁଥିଲା । ଫଳରେ ଅନେକ ସମୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତି ହେବାକୁ ପଡ଼ିଥିଲା । ତଥାପି ସେ ହାର ମାନିନଥିଲେ । ଦୃଢ ମନୋବଳ ସହିତ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱ ତୁଲାଇ ଚାଲିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା । ଏପରିକି ଖାଦ୍ୟ ପାଇଁ ତାଙ୍କ ନାକରେ ଟ୍ୟୁବ ମଧ୍ୟ ଲାଗିଥିଲା । ଏଭଳି ଅବସ୍ଥାରେ ମଧ୍ୟ ସେ ଅଫିସ ଯାଉଥିଲେ ଏବଂ ବିଧାନସଭା ଯାଇ ବଜେଟ ଉପସ୍ଥାପନ କରିଥିଲେ । ଆସନ୍ତା ଲୋକସଭା ନିର୍ବାଚନରେ ସେ ପ୍ରଚାର କରିବେ ବୋଲି ଗତମାସରେ ସୂଚନା ଦେଇଥିଲେ ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ରାଜନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ନିଜକୁ ଜନସେବାରେ ଉତ୍ସର୍ଗ କରି ନିଷ୍ଠାର ପ୍ରତୀକ ଥିବା ପାରିକରଙ୍କ ଭୂମିକାକୁ ଗୋଆର ଜନସାଧାରଣ ସମେତ ଦେଶବାସୀ କେବେ ଭୁଲିପାରିବେ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଗୋଆର ୪ଥର ମୁଖ୍ୟମନ୍ତ୍ରୀ ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ହିଁ ୨୦୧୬ ମସିହାରେ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ସେହିପରି ପାରିକରଙ୍କ ଅମଳରେ ହିଁ ଫ୍ରାନ୍ସ ସହ ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ ସଂକ୍ରାନ୍ତ ଚୂଡ଼ାନ୍ତ ବୁଝାମଣା ହୋଇଥିଲା ।

ଗତ ଜାନୁଆରିରେ ଗୋଆ ବିଧାନସଭାରେ ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ ଜଣାପଡ଼ୁଥିବା ପାରିକର ଭାବପୂର୍ଣ୍ଣ ସମ୍ବୋଧନ କରି ଶେଷ ଥର ପାଇଁ ସଂକ୍ଷେପରେ ବଜେଟ ଉପସ୍ଥାପନ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ତାଙ୍କୁ ମନଖୋଲି କିଛି କହିବାକୁ ଅନୁମତି ଦେଉନାହିଁ ବୋଲି ସେ ସୂଚନା ଦେବା ସହ ମନ ଭିତରେ ତାଜା ଉତ୍ସାହ ଭରି ରହିଛି ଏବଂ ସେ ସଜାଗ ଅଛନ୍ତି ବୋଲି କହିଥିଲେ । ତାଙ୍କ ପରଲୋକ ଗୋଆ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ଆଣିବା ସହ ସେଠାରେ ବିଶେଷ କରି ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ପାଇଁ ସଙ୍କଟ ବଢ଼ାଇ ଦେଇଛି ।

Related Posts