‘ଏମସିଡିରେ ଆପର ହେବ ମେୟର’: ନିଜ ମନ୍ତବ୍ୟରୁ ୟୁ-ଟର୍ଣ୍ଣ ନେଲେ ଦିଲ୍ଲୀ ବିଜେପି ମୁଖ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ଅନ୍ୟତମ ବହୁଚର୍ଚ୍ଚିତ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ) ଠାରୁ ପରାସ୍ତ ହେବା ପରେ ମଧ୍ୟ ଦମ୍ଭୋକ୍ତି ଛାଡ଼ି ନଥିବା ବିଜେପି ଏବେ ୟୁ-ଟର୍ଣ୍ଣ ନେଇଛି। ଏମସିଡିରେ ବିଜେପି ଦୀର୍ଘ ୧୫ ବର୍ଷ ହେଲା ରାଜ କରୁଥିବା ବେଳେ ଏଥର ଆପ୍‌ ଠାରୁ ଦଳକୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି।

ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟି ଜିତିଥିବା ବେଳେ ବିଜେପି ୧୦୪ ଆସନ ପାଇଛି।ଏଠାରେ ମେୟର ପଦ ଦଖଲ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୨୬। ବିଜେପି ଏହାଠାରୁ ଯଥେଷ୍ଟ ପଛରେ ଥିଲେ ମଧ୍ୟ ମେୟର ପଦ ନିଶ୍ଚିତ ଭାବେ ଦଖଲ କରିବ ବୋଲି ଦମ୍ଭୋକ୍ତି କରିଥିଲା। ହେଲେ ଏବେ ବିଜେପି ନିଜ ଦମ୍ଭୋକ୍ତିରେ ୟୁ-ଟର୍ଣ୍ଣ ମାରିଛି। ଆପ୍‌ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେଣୁ ଆପ୍‌ରୁ କେହି ମେୟର ଭାବେ ନିର୍ବାଚିତ ହେବେ ବୋଲି ବିଜେପି କହିଛି।

ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା କହିଛନ୍ତି ଯେ, ଏମସିଡିରେ ବିଜେପି ଶକ୍ତିଶାଳୀ ବିରୋଧୀ ଭୂମିକାରେ ରହିବ। ଦଳ କୌଣସି ପ୍ରକାରର ଦୁର୍ନୀତିକୁ ପ୍ରଶୟ ଦେବନି। ଏମସିଡିରେ ବିଜେପି ୱାଚଡଗ ଭାବେ କାମ କରିବ। ଦିଲ୍ଲୀକୁ ପରିଷ୍କାର କରିବା ଓ ଏମସିଡି କେମିତି ଭଲ ଭାବେ କାମ କରିବ, ତା’ହା ହିଁ ଆମର ପ୍ରଥମ କାମ।

ପୂର୍ବରୁ ବିଜେପି କହିଥିଲା ଯେ ଆପ୍‌ ଏମସିଡି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ପାଇଛିତ ସତ କିନ୍ତୁ ମେୟର ନିର୍ବାଚନ ଏବେ ବି ବାକି ରହିଛି। ଚଣ୍ଡିଗଡ଼ରେ ଆପ୍‌ ସର୍ବାଧିକ ଆସନ ଦଖଲ କରିଥିଲା। ହେଲେ ବିଜେପି ସେଠାରେ ମେୟର ପଦ ହାତେଇଥିଲା। ତେଣୁ ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଦଳ ପରୋକ୍ଷରେ କହିଥିଲା।

ସୂଚନାଯୋଗ୍ୟ ଯେ, ଚଣ୍ଡିଗଡ଼ ପୌର ନିର୍ବାଚନରେ ଆପ୍‌ ୩୫ଟି ୱାର୍ଡରୁ ୧୪ଟି ସ୍ଥାନରେ ଜିତି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ମେୟର ପଦ ପାଇଁ ଦଳ ମ୍ୟାଜିକ ନମ୍ବର ହାସଲ କରିପାରି ନଥିଲେ। ଏହାର ଫାଇଦା ଉଠାଇ ବିଜେପି ଆଉ କିଛି ଦଳକୁ ହାତ କରି ମେୟର ପଦ ଦଖଲ କରିଛି।

Related Posts