ଶାସକ ଦଳର ସବୁ ପାଳିରେ ମୟୂରଭଞ୍ଜକୁ ମିଳିଛି ମନ୍ତ୍ରୀପଦ; ହେଲେ ମନ୍ତ୍ରୀମଣ୍ଡଳରେ କେହି ରହି ପାରିନାହାନ୍ତି ୫ ବର୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନିଜର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ବିଜେଡି ଶାସନର ସବୁ ପାଳିରେ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି ମନ୍ତ୍ରୀପଦ। ହେଲେ କେହି ଜଣେ ବି ୫ ବର୍ଷ ଯାଏ ରହିବାର ସୁଯୋଗ ପାଇନାହାନ୍ତି। କାହାକୁ ଅଧାରୁ ବ୍ରେକ୍ ଦିଆଯାଇଛି ତ ଆଉ କାହାକୁ ପ୍ରସ୍ଥାନ ବାଟ ଦେଖାଇ ଦିଆଯାଇଛି। ତେବେ ମନ୍ତ୍ରିମଣ୍ଡଳରୁ ସଦ୍ୟ ବାଦ୍ ପଡ଼ିଥିବା ପୂର୍ବତନ ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ମୟୂରଭଞ୍ଜ ରାଜା ପ୍ରବୀଣ କୁମାର ଭଞ୍ଜଦେଓ, ସରୋଜିନୀ ହେମ୍ବ୍ରମ୍ ଏ କ୍ଷେତ୍ରରେ ଗୋଟିଏ ଗୋଟିଏ ଦୃଷ୍ଟାନ୍ତ।

ଏମିତିକି ସୁଦାମ ଦୁଇ ଦୁଇଥର ମନ୍ତ୍ରୀପଦ ପାଇ ମଧ୍ୟ ଅଧାରୁ ବାଦ୍ ପଡ଼ିଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ ନୂଆକରି ସ୍ଥାନ ପାଇଥିବା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ କାର‌୍ୟ୍ୟକାଳ ଦୁଇବର୍ଷରୁ କମ୍ ରହିବ। କେବଳ ଏତିକି ନୁହେଁ ବରଂ ୨୦୦୦ରେ ପ୍ରଥମକରି ବିଜେଡି-ବିଜେପି ମେଣ୍ଟ ସରକାର କ୍ଷମତାସୀନ ହେବାପରେ ମୟୂରଭଞ୍ଜରୁ ବିଜେଡିର ସ୍ବର୍ଗତ ଚୈତନ୍ୟ ମାଝୀ ଓ ବିଜେପିର ଗୋଲକ ନାୟକଙ୍କୁ ମିଳିଥିଲା ମନ୍ତ୍ରୀପଦ। ହେଲେ ଗୋଟିଏ ବର୍ଷ ଥାଇ ୨୦୦୪ରେ ବିଧାନସଭା ଭଙ୍ଗ ହେବାରୁ ଦୁହିଁଙ୍କ ଭାଗ୍ୟରେ ୫ ବର୍ଷ ଯାଏ ମନ୍ତ୍ରୀପଦରେ ରହିବା ସମ୍ଭବ ହୋଇନଥିଲା। ସେପଟେ କେନ୍ଦୁଝର ଭଳି ଏକ ଖଣି ଖାଦାନ ଭରା ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିଲା ନାହିଁ। ଯାହାକୁ ନେଇ ଜିଲ୍ଲା ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

Related Posts