ଚଣ୍ଡିଗଡ଼: ସିଙ୍ଗରରୁ ରାଜନେତା ବନିଥିବା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପୋଲିସ କୁ ମିଳିଲା ଆଉ ଏକ ସଫଳତା । ପଞ୍ଜାବ ପୁଲିସ୍‌ ଆଉ ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଛି। ଘଟଣାର ୩ୟ ଅଭିଯୁକ୍ତକୁ ପୁଲିସ୍‌ ଗତକାଲି ରାତିରେ ହରିଆଣାର ଫତେହାବାଦରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦେବେନ୍ଦ୍ର ଓରଫ କାଲା।

ପୂର୍ବରୁ ଗିରଫ ହୋଇଥିବା ୨ ଜଣଙ୍କୁ ଜେରା କରିବା ବେଳେ ପଞ୍ଜାବ ପୁଲିସ୍‌ କାଲା ସମ୍ପୃକ୍ତି ନେଇ ଖବର ପାଇଥିଲା। ଏହାପରେ ପଞ୍ଜାବ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଗତକାଲି ରାତିରେ କାଲାର ଠିକଣାରେ ରେଡ୍‌ କରିଥିଲା। ଏହି ସମୟରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ ସେ ହତ୍ୟାକାଣ୍ଡରେ ସିଧାସଳଖ ସାମିଲ ଥିଲେ ନା କୌଣସି ସହାୟତା କରିଥିଲେ, ସେକଥା ପୁଲିସ୍ ଏଯାଏ କହିନି।

ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ପୁଲିସ୍ କାଲାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି।

ମେ’ ୨୯ ତାରିଖରେ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହରେ ୨୦ରୁ ଅଧିକ ଗୁଳି ବାଜିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଯାଇଥିଲା। ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ଫେସବୁକ ପୋଷ୍ଟ ଜରିଆରେ ଘଟଣା ପାଇଁ ନିଜକୁ ଦାୟୀ କରିଛି ।