ଆଜି ସମ୍ୱଲପୁର ଆସୁଛନ୍ତି ମୋଦୀ: ଭେଟିଦେବେ ୬୮ ହଜାର କୋଟିର ପ୍ରକଳ୍ପ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସ‌ରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ‌ବିଦ୍ୟୁତ୍‌, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ରାଷ୍ଟ୍ରାୟତ୍ତ କମ୍ପାନି ଏନ୍‌ଟିଭିସି, ଏମ୍‌ସିଏଲ୍‌, ଏନ୍‌ଏଚ୍‌ଏଆଇ, ଏନ୍‌ଏଲ୍‌ସି ଆଦି ପକ୍ଷରୁ ସ୍ଥାପନ କରାଯାଇଥିବା ପ୍ରକଳ୍ପଗୁଡ଼ିକର ସେ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଜନସଭା ହୋଇଥିବାରୁ ପୂରା ଦେଶର ନଜର ସମ୍ବଲପୁର ଉପରେ ରଖିଛି।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପୂରା ସମ୍ବଲପୁର ଚଳଚଞ୍ଚଳ ହୋଇଉଠିଛି। ସମ୍ବଲପୁର ସହରର ରାସ୍ତାଘାଟ ସମ୍ପୂର୍ଣ୍ଣ ଭାବେ ମୋଦୀମୟ ହୋଇଯାଇଛି। ରାସ୍ତାଘାଟରେ ବଡ଼ବଡ଼ ବ୍ୟାନର୍‌ ସହ ବିଜେପି ପତାକା ସହିତ ରାସ୍ତା ମଝିରେ ମୋଦୀଙ୍କ ହୋର୍ଡିଂ ଲାଗିଛି। ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବା ସହ ରେମେଡ୍‌ ପଡ଼ିଆରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ରାଜ୍ୟ ସହ ଦେଶର ବହୁ ନେତାଙ୍କ ସମେତ ୨ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ମୋଦୀଙ୍କ ସଭାରେ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତା ସମ୍ବଲପୁରରେ ପହଞ୍ଚି ସାରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ଦିନ ଆଇଆଇଏମ୍‌, ସମ୍ବଲପୁର ଓ ସମ୍ବଲପୁର ରେମେଡ ପଡ଼ିଆଠାରେ ପ୍ରତ୍ୟକ୍ଷ ଭାବରେ ସ୍ଥାନୀୟ ପ୍ରଶାସନ, କର୍ତ୍ତୃପକ୍ଷ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି। ସେ ସର୍ବପ୍ରଥମେ ଆଇଆଇଏମ୍‌, ସମ୍ବଲପୁର ଗସ୍ତକରି ସ୍ଥାନୀୟ ପ୍ରଶାସନ ଓ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ରେମେଡ୍‌ଠାରେ ସ୍ଥାନୀୟ ପ୍ରଶାସନ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ପୂର୍ବୋଦୟର ବଡ଼ ଶକ୍ତିପୁଞ୍ଜ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏବଂ କେନ୍ଦ୍ରର ଅନ୍ତରୀଣ ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମା’ ସମଲେଶ୍ୱରୀଙ୍କ ମାଟିରେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି, ଯାହା ଆମ ପାଇଁ ଗୌରବର ବିଷୟ। ମୋଦୀଜୀ ଦେଶର ଗରିବ, ମହିଳା, କୃଷକ ଏବଂ ଯୁବକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରେଂଗାଲି ବିଧାୟକ ନାଉରୀ ନାୟକ, ବିଜେପି ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଂଜନ ବକ୍ସି, ଗୋଳକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଛି ଏବଂ ସମୁଦାୟ ୭୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୩ଟି ଏସ୍‌ପି ରେଞ୍ଜ୍‌ର ପୁଲିସ ଅଧିକାରୀଙ୍କୁ ସାମିଲ କରାଯାଇଛି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏଡିଜି(ଆଇନ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ସହ ଆଇଜି ଦୀପକ କୁମାର ଓ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୁରକ୍ଷା କାର୍ଯ୍ୟ ତଦାରଖ କରୁଛନ୍ତି। ସେମାନଙ୍କ ସହିତ ୪ ଜଣ ଏସ୍‌ପିଙ୍କ ସହ ୨୫୦ ପୁଲିସ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଆଇଜି ହିମାଂଶୁ ଲାଲ କହିଛନ୍ତି, ସୁରକ୍ଷାରେ କୌଣସି ପ୍ରକାର ଅଭାବ ଯେଉଁଭଳି ଭାବେ ରହିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ସମସ୍ତେ କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଏସ୍‌ପି ମୁକେଶ ଭାମୁଙ୍କ ସୂଚନା ଅନୁଯାୟୀ, ଯେଉଁମାନଙ୍କୁ ଆଇଆଇଏମ୍‌ରୁ ନିମନ୍ତ୍ରଣ ମିଳିଛି, ସେମାନେ ଦିନ ୧୧ଟା ୩୦ ସୁଦ୍ଧା ପହଞ୍ଚିବେ। ରେମେଡ୍‌ରେ ଯେଉଁମାନେ ଯୋଗଦେବେ ସେମାନେ ଦିନ ୧ଟା ସୁଦ୍ଧା ପଡ଼ିଆକୁ ଆସିବେ। ସମସ୍ତଙ୍କ ଯାଞ୍ଚ୍‌ ହେବାପରେ ପ୍ରବେଶ କରାଯିବ। ପ୍ରଧାନମନ୍ତ୍ରୀ ଆସୁଥିବା ଆଇଆଇଏମ୍‌ ଓ ରେମେଡ୍‌କୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଡ୍ରୋନ୍‌ ଉଡ଼ିବା ଉପରେ ବି କଟକଣା ଲଗାଯାଇଛି। କୌଣସି ଲୋକ ପାଣି ବୋତଲ ଧରି ଆସିବେ ନାହିଁ, ଭିତରେ ପାଣି ବ୍ୟବସ୍ଥା କରାଯାଇଛି। ରେମେଡ୍‌ରେ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ୨ଟି ଏଣ୍ଟ୍ରି ପଏଣ୍ଟ ରହିବ। ସଭାସ୍ଥଳ ନିକଟରେ ୧୫୦୦ ବସ୍‌ ରହିବା ପାଇଁ ସବୁଠୁ ବଡ଼ ପାର୍କିଂ ସ୍ଥାନ କରାଯାଇଛି। ତା’ସହିତ ଆଉ ୨ଟି ପାର୍କିଂ ଅଞ୍ଚଳ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ପୂରା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।

ସେପଟେ ରେମେଡ୍‌ ଠାରେ ନିର୍ମାଣ ହୋଇଥିବା ୩ ହେଲିପ୍ୟାଡ୍‌ରେ ତ୍ରୁଟି ରହିଥିଲା। ବାୟୁସେନାର ଚପର୍‌ ଅବତରଣ କରିବା ପରେ ହେଲିପ୍ୟାଡ୍‌ ନିର୍ମାଣରେ ହୋଇଥିବା ତ୍ରୁଟି ବାହାରିଥିଲା। ସବୁ ହେଲିପ୍ୟାଡ୍‌ ଅତି କମ୍‌ରେ ୬୦ ମିଟରର ଆବଶ୍ୟକ ଥିବାବେଳେ ୪୦ରୁ ୫୦ ମିଟର୍‌ ଭିତରେ ପ୍ରାୟ ୩ଟି ଯାକ ହେଲିପ୍ୟାଡ୍‌ ଥିଲା। ତ୍ରୁଟି ଜଣାପଡ଼ିବା ପରେ ଗୁରୁବାର ରାତାରାତି ଯୁଦ୍ଧକାଳୀନ ଭିତ୍ତିରେ ୩ଟି ହେଲିପ୍ୟାଡ୍‌କୁ ତ୍ରୁଟିଶୂନ୍ୟ କରାଯାଇଥିଲା। ସଭାସ୍ଥଳ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିବା ବେଳେ ଏସ୍‌ପିଜିକୁ ହସ୍ତାନ୍ତର କରାଯାଇଛି।

Related Posts