ଠକେଇର ଶିକାର ହେଲେ ସାଂସଦ ରବି କିଷାନ, ଫ୍ଲାଟ୍ ଦେବାକୁ କହି ୩.୨୫ କୋଟି ଟଙ୍କା ଠକି ନେଲେ ବିଲ୍ଡର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୋଜପୁରୀ ସୁପରଷ୍ଟାର ତଥା ୟୁପିର ଗୋରଖପୁର ଆସନରୁ ବିଜେପିର ସାଂସଦ ରବି କିଷାନ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇର ଜଣେ ବିଲ୍ଡର ରବି କିଶନଙ୍କୁ ୩.୨୫ କୋଟି ଟଙ୍କା ଠକିଛନ୍ତି। ଏନେଇ ସାଂସଦ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି। ସାଂସଦଙ୍କ ଲୋକସମ୍ପର୍କ ଅଧିକାରୀ ପୱନ ଦୁବେ କହିଛନ୍ତି ଯେ ରବି କିଶନଙ୍କୁ ମୁମ୍ବାଇର ଜଣେ ବିଲ୍ଡର ୩.୨୫ କୋଟି ଟଙ୍କା ଠକିଛନ୍ତି । ଏହି ଘଟଣାକୁ ନେଇ କ୍ୟାଣ୍ଟ ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ହୋଇଛି। ବିଲ୍ଡରଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ କହିଛି ଯେ, ଏକ ଅଭିଯୋଗ ପଞ୍ଜୀକୃତ ହୋଇଛି ଏବଂ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇପିସିର ଧାରା ୪୦୬ ଅନୁଯାୟୀ ପୁଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ମୁମ୍ବାଇରେ ଏକ ଫ୍ଲାଟ ପାଇଁ ରବି ୨୦୧୨ ମସିହାରେ ବିଲ୍ଡର ଜିତେନ୍ଦ୍ର ରମେଶଙ୍କୁ ୩.୨୫ କୋଟି ଟଙ୍କା ଦେଇଥିଲେ। ପରେ ଫ୍ଲାଟ୍ ଦେବାରେ ଵିଳମ୍ବ କରିବାରୁ ସାଂସଦ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ । ଏହାପରେ ବିଲ୍ଡର ଜଣକ ତାଙ୍କୁ ୩୪ ଲକ୍ଷ ଟଙ୍କାର ୧୨ଟି ଚେକ୍ ଦେଇଥିଲେ, ହେଲେ ଯେତେବେଳେ ସାଂସଦ ଗୋରଖପୁର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରେ ଚେକ୍ ଜମା କରିଥିଲେ, ସେତେବେଳେ ଚେକ୍ ଗୁଡିକ ବାଉନ୍ସ ହୋଇଯାଇଥିଲା । ଏନେଇ ବିଲ୍ଡରଙ୍କୁ ରବି ଜଣାଇଥିଲେ ମଧ୍ୟ ସେ ଆଉ ଶୁଣିନଥିଲେ | ଯେତେବେଳେ ବିଲ୍ଡରଙ୍କୁ ଟଙ୍କା ମାଗିବା ସତ୍ତ୍ୱେ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇନଥିଲେ, ସାଂସଦ ପୁଲିସ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ।

Related Posts