
ଭୁବନେଶ୍ୱର: କରୋନା ମହାମାରୀ ଶିକ୍ଷ୍ୟା ବ୍ୟବସ୍ଥାର ମେରୁ ଦଣ୍ଡ କୁ ଦୋହଲାଇ ଦେଇଥିବା ବେଳେ, ଏବେ ଶିକ୍ଷା ବ୍ୟବସ୍ଥାର ତ୍ରୁଟି ଚିନ୍ତାର ବିଷୟ ପାଲଟିଛି । କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିବା ସହ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଅନେକଥର ତ୍ରୁଟି ପରିଲକ୍ଷିତ ହେଉଛି। କେଉଁଠି ନା କେଉଁଠି ନିଜ କାର୍ଯ୍ୟଦକ୍ଷତାକୁ ନେଇ ଲୋକହସା ହେଉଛି। ଏବେ ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ ଏକାଧିକ ତ୍ରୁଟି ଥିବା ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ପଠନ ଅଭ୍ୟାସ କରିବା ପାଇଁ ସେହି ପୁସ୍ତକରେ ବହୁ ଛବି ପ୍ରଦର୍ଶିତ କରାଯାଇଛି। ଏଥିସହିତ ତା’ର ନାମ ମଧ୍ୟ ଲେଖାଯାଇଛି। ସେହି ଛବି ପଠନରେ ଗୁରୁତର ତ୍ରୁଟି ରହିଛି।
ଚକୋଲେଟ୍, ହର୍ଲିକ୍ସ, ଫ୍ରୁଟି, କୁର୍କୁରେ ଭଳି ଶବ୍ଦକୁ ବ୍ୟବହାର କରାଯାଇଛି। ପ୍ରଥମତଃ ଇଂଲିଶ ଶବ୍ଦ ବ୍ୟବହାର କରାଯାଇଥିବା ବେଳେ ଦ୍ୱିତୀୟରେ ଛବିରେ କମ୍ପାନୀ ବ୍ରାଣ୍ଡ୍ ଥିବା ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମ୍ପାନୀଗୁଡ଼ିକର ବିଜ୍ଞାପନ ପ୍ରସାର କରୁଛି ବୋଲି ଅଭିଯୋଗ ହେଉଛି। ପାଠ୍ୟ ପୁସ୍ତକରେ ବଡ଼ ବଡ଼ କମ୍ପାନୀଙ୍କ ଉତ୍ପାଦ ସବୁ ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ପଢ଼ିବାକୁ ଦିଆଯାଉଛି। ପିଲାଙ୍କ ବହିରେ ଉତ୍ପାଦଗୁଡ଼ିକର ଫଟୋ ଦିଆଯାଇଛି, ଯେଉଁଥିରେ ନିର୍ମାଣକାରୀ କମ୍ପାନୀ ସହଜରେ ଜଣାପଡ଼ିଯାଉଛନ୍ତି। ଯେପରିକି ‘ଟାଟା’ ଲୁଣ, କୁର୍କୁରେ, ହର୍ଲିକ୍ସ, ଡାଏରୀମିଲ୍କ ଇତ୍ୟାଦି। କୁର୍କୁରେ ଏକ ଜଙ୍କ୍ ଫୁଡ୍ ହୋଇଥିବା ଶିଶୁ ରୋଗ ବିଶେଷଜ୍ଞମାନେ କହୁଛନ୍ତି। ଅନୁରୂପ ଭାବେ ଫ୍ରୁଟି ଭଳି ମୃଦୁ ପାନୀୟ ମଧ୍ୟ ପିଲାମାନଙ୍କ ଦାନ୍ତ ଖରାପ କରିଥାଏ ବୋଲି ଡାକ୍ତରମାନେ ମତ ଦେଉଛନ୍ତି। କିନ୍ତୁ ଗଣଶିକ୍ଷା ବିଭାଗ କମ୍ପାନୀ ନାମ ଥିବା ଏହି ଉତ୍ପାଦ ଛାପିବା ନେଇ ଅଭିଭାବକମାନେ ନାପସନ୍ଦ କରିଛନ୍ତି।
ଭୁବନେଶ୍ୱର ଚକେଇସିଆଣିର ଶଶୀରେଖା ପଣ୍ଡା କହିଛନ୍ତି, ଛୋଟ ପିଲାଙ୍କ ଓଡ଼ିଆ ବହିର ଛବି ପଠନରେ ଇଂଲିଶ ଶବ୍ଦ ବ୍ୟବହାର କରାଯାଇ ଆମ ମାତୃଭାଷାକୁ ଉପହସିତ କରାଯାଉଛି।
ନେଇ ଆକାଶବାଣୀ କଟକର ପୂର୍ବତନ ବାର୍ତ୍ତା ସମ୍ପାଦକ ପ୍ରଣତି ମହାନ୍ତି ଉଦ୍ବେଗ ପ୍ରକାଶ କରିବା ସହିତ ସେ କହିଛନ୍ତି ଯେ, ଆଜିର ପିଲାମାନେ ସାଧାରଣତଃ ଓଡ଼ିଆ ଭାଷାକୁ ଭୁଲିଯାଉଛନ୍ତି। ତା’ପରେ ଭାଷା ବହିରେ ଏଭଳି ଇଂଲିଶ ଶଦ୍ଦରେ ଲେଖାଯିବା ଆଦୌ ଯଥାର୍ଥ ନୁହେଁ। ପିଲାଙ୍କୁ ଭାଷାଭିତ୍ତିକ ଶିକ୍ଷା ଦେବା ପାଇଁ ଆମ ଓଡ଼ିଆରେ ବହୁ ଖାଦ୍ୟ ରହିଛି। ସେସବୁକୁ ଦେଖାଯାଇ ପାରିଥାନ୍ତା। ସେହିଭଳି କୌଣସି ସାମଗ୍ରୀର କମ୍ପାନୀ ବ୍ରାଣ୍ଡ୍କୁ ମଧ୍ୟ ପାଠ୍ୟପୁସ୍ତକରେ ରଖାଯିବା ଉଚିତ ନୁହେଁ। ଏଭଳି ତ୍ରୁଟି ପାଇଁ କିଏ ଦାୟୀ ରହିବେ ବୋଲି ପ୍ରଣତି ପ୍ରଶ୍ନ କରିଛନ୍ତି ।