‘ଓଡ଼ିଶାରେ କେବଳ ନବୀନଙ୍କ ଇଞ୍ଜିନ ହିଁ ଚାଲିବ’; ବିଜେପିର ଡବଲ ଇଂଜିନ ସ୍ଲୋଗାନକୁ ପାଣ୍ଡିଆନଙ୍କ ଟାର୍ଗେଟ

ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ): ଚଳିତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର, ଆଉ ବିଜେପି ଏଥର କେନ୍ଦ୍ରରେ 400 ପାର ସ୍ଲୋଗାନ ସହିତ ଓଡ଼ିଶାରେ ଡବଲ ଇଂଜିନ ସରକାର ପାଇଁ ଆହ୍ୱାନ ଦେଇଛି | ଦଳର କ୍ୟାମ୍ପେନ ନ୍ୟରେଟିଭ ମଧ୍ୟ ସେହି ଦିଗକୁ ଗତି କରୁଛି | ଗତ 25 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସି, ସୋନପୁରରେ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ | ଆଉ ସେଠାରୁ ନବୀନ ଙ୍କ ସରକାରକୁ ହଟାଇ ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ | ସେପଟେ ବିଜେଡି ପକ୍ଷରୁ ଏବେ ବିଜେପି ଡବଲ ଇଂଜିନ ସ୍ଲୋଗାନର କାଉଣ୍ଟର ଆରମ୍ଭ ହୋଇଛି | ଦଳର ପ୍ରଚାର ମଙ୍ଗ ଧରିଥିବା ଭିକେ ପାଣ୍ଡିଆନ ଶନିବାର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ | ଏହି ଅବସରରେ ସେ ବିଜେପିର ଡବଲ ଇଞ୍ଜିନ ନାରାର ଜବାବ ଦେବାକୁ ଯାଇ ସିଧା ସିଧା କହିଥିଲେ ଯେ ଓଡ଼ିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ। ଯଦି ଡବଲ ଇଞ୍ଜିନ ଏତେ ଭଲ, ତେବେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କାହିଁକି ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି ବୋଲି ସେ ପ୍ରଶ୍ନ କରିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ ଆହୁରି କହିଥିଲେ ଯେ ଆପଣଙ୍କ ସାଂସଦ ଗତ ୫ ବର୍ଷରେ କ’ଣ କରିଛନ୍ତି? ବିଏସ୍‌କେୱାଇ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼୍‌ଯନ୍ତ୍ର କରୁଛନ୍ତି। ଯଦି ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରହିବାକୁ ଚାହୁଁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ କହି ଭୋଟ ଭିକ୍ଷା କରିଥିଲେ ପାଣ୍ଡିଆନ ।

ସେପଟେ ପାଣ୍ଡିଆନଙ୍କ ଏଭଳି ମନ୍ତବ୍ୟ ପରେ ଏହାର କାଉଣ୍ଟର କରିଛି ବିଜେପି | ଦଳ ପକ୍ଷରୁ କୁହାଯାଇଛି ଯେ, ନବୀନ ସରକାରର ଇଞ୍ଜିନ ପୁରୁଣା ହୋଇଗଲାଣି l ପ୍ରବଳ ପଲ୍ୟୁସନ କରୁଛି l ଓଡିଶାକୁ ନୂଆ ଇଞ୍ଜିନର ସରକାର ଆବଶ୍ୟକ l ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକେ ମନ ସ୍ଥିର କରିଛନ୍ତି ବୋଲି ବିଜେପି କହିଛି | ତେବେ ବିଜେପିର ଡବଲ ଇଂଜିନ ଓ ବିଜେଡିର ନବୀନ ଇଂଜିନ ମଧ୍ୟରୁ ଏଥର ଲୋକେ କାହାକୁ ବାଛୁଛନ୍ତି ତାହା ଦେଖିବାକୁ ବାକି ରହିଲା |

Related Posts