ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜଣେ ମୁସଲମାନଙ୍କୁ ପୁଲିସ ସର୍ବସମ୍ମୁଖରେ ଇଲେକ୍ଟ୍ରି ପୋଲରେ ବାନ୍ଧି ମାଡ଼ ମାରିବା ପ୍ରତିବାଦରେ ଗୁଜରାଟର ଖେଡ଼ା ଜିଲ୍ଲାର ଉନ୍ଧଲା ଗାଁର ସମସ୍ତ ମୁସଲମାନମାନେ ଆଜି ଭୋଟ ବର୍ଜନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ନବରାତ୍ରୀ ସମୟରେ ଗରବା କାର୍ଯ୍ୟକ୍ରମ ସମୟରେ ସେ ସ୍ଥାନକୁ ଢେଲାପଥର ମାଡ଼ ହୋଇଥିଲା। ଏହି ଘଟଣାରେ ପଥର ମାଡ଼ ଅଭିଯୋଗରେ ଜଣେ ମୁସଲମାନ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ମାଡ଼ ମାରିବା ବେଳର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ପୁଲିସର ଏହି ନିର୍ଯାତନା ପ୍ରତିବାଦରେ ଏବେ ଉନ୍ଧଲା ଗାଁର ମୁସଲମାନମାନେ ବିଧାନସଭା ନିର୍ବାଚନରେ ସାମିଲ ହୋଇ ନାହାନ୍ତି।
ନବରାତ୍ରୀର ମହାମାୟାଙ୍କ ମହାନବମୀ ପୂଜା ବେଳେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। କିଛି ଅଳ୍ପସଂଖ୍ୟକ ସମୁଦାୟର ଲୋକେ ପୂଜା ପେଣ୍ଡାଲ ଉପରକୁ ପଥରମାଡ କରିଥିଲେ। ଏଥିରେ ୬ ଜଣ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ୪୦ ଜଣଙ୍କୁ ଗିରଫ କରିଥିଲା।
ଗିରଫ ଯୁବକଙ୍କ ମଧ୍ୟରୁ ଜଣକୁ ବାନ୍ଧି ପୁଲିସ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଧିକାରୀମାନେ ସାଦା ପୋଷାକରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ବେଳେ ଏହାକୁ ଦେଖିବାକୁ ଭିଡ଼ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ କୁହାଯାଇଥିଲା।
ସେ ସମୟରେ ଏହି ଅଞ୍ଚଳର ଦାୟିତ୍ୱରେ ଥିବା ପୁଲିସ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ। ପରେ ଏହି ଘଟଣା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ଭୋଟ ବର୍ଜନ କରିଛନ୍ତି।
