ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ନଡ୍ଡା

 ଭୁବନେଶ୍ୱର,୦୪/୩(ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଗତ ଫେବ୍ରୁଆରୀ ୨୦ ତାରିଖରେ ଜେପି ନଡ୍ଡା ଗୁଜରାଟରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ସେ ଅଦ୍ୟାବଧି ଶପଥ ନେଇ ନାହାନ୍ତି।

ଅନ୍ୟପକ୍ଷରେ ସେ ଏଯାବତ୍ ହିମାଚଳ ପ୍ରଦେଶର ରାଜ୍ୟସଭା ସଦସ୍ୟ ଥିଲେ। ହିମାଚଳ ପ୍ରଦେଶର ରାଜ୍ୟସଭା ସଦସ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଥିଲା। ତେବେ ନିୟମ ଅନୁଯାୟୀ, ଯଦି କୌଣସି ରାଜ୍ୟସଭା ସଦସ୍ୟ ଅନ୍ୟ ଏକ ଆସନରୁ ନିର୍ବାଚନରେ ବିଜୟୀ ହେବେ, ତା’ହେଲେ ୧୪ ଦିନ ମଧ୍ୟରେ ତାଙ୍କୁ ପୁରୁଣା ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ସେଥିପାଇଁ ସେ ହିମାଚଳ ପ୍ରଦେଶ ଆସନରୁ ଇସ୍ତଫା ଦେଇଛନ୍ତି। 

ସୂଚନାଯୋଗ୍ୟ, ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ଆସନ୍ତ ଜୁନ୍ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଶ୍ରୀ ନଡ୍ଡା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ୨୦୨୦ ଜାନୁଆରୀ ୨୦ରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ।

Related Posts