ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ):ଦେଶରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦୁଇ ବର୍ଷରୁ କମ ସମୟ ରହିଥିବାବେଳେ ଏହାକୁ ଆଖି ଆଗରେ ରଖି ବିରୋଧୀ ଦଳର ନେତାମାନେ ଏବେଠୁ ଏକଜୁଟ ହେବାକୁ ଉଦ୍ୟମ କରୁଛନ୍ତି। ତେବେ ସମସ୍ତ ବିରୋଧୀ ଦଳକୁ ଗୋଟିଏ ମଞ୍ଚକୁ ଆଣି ସିଧା ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ନୀତୀଶ କୁମାର। ତେବେ ନିକଟରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ନୀତିଶ କୁମାର କହିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳ ମିଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) କୁ ପରାସ୍ତ କରିବ। ବର୍ତ୍ତମାନ ଏହାର ଜବାବରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ଦାବି କରିଛନ୍ତି ଯେ, ୨୦୨୪ମସିହାରେ ନରେନ୍ଦ୍ର ମୋଦୀଜୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।
ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି ସାଂସଦ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ବିରୋଧୀ ଏକଜୁଟ ହେଉଥିବା ନେଇ ନୀତୀଶ କରୁଥିବା ଦାବି ଉପରେ ପ୍ରଶ୍ନ କରି ସୁଶୀଲ ମୋଦୀ କହିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତୀଶ କୁମାରଜୀଙ୍କ ନିର୍ଦ୍ଦେଶରେ କଂଗ୍ରେସରେ ଯୋଗଦେବେ କି? ନୀତୀଶଜୀ କହିଦେଲେ କିଛି ବଦଳିବ ନାହିଁ। ଯାହା ପାଖରେ ୨୫୦ରୁ ଅଧିକ ଆସନ ଥିବ, ସେ ହିଁ ପ୍ରଧାନମନ୍ତ୍ରୀ ହେବ।
୨୦୨୦ରେ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ଅଂଶ ଥିବାବେଳେ ବିଜେପି ସହିତ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ ନୀତୀଶ କୁମାରଙ୍କ ଦଳ ମୋଟ ୪୩-୪୪ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା। ଏହି ନିର୍ବାଚନ ଫଳାଫଳକୁ ନେଇ ସୁଶୀଲ ମୋଦୀ କହିଛନ୍ତି ଯେ, ବିହାରରେ ବହୁ କଷ୍ଟରେ ନୀତୀଶ କୁମାରଙ୍କ ଦଳ ୪୪ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ପ୍ରୟାସ କରୁଛନ୍ତି । ବାସ୍ତବରେ ନୀତୀଶ କୁମାର କେବଳ ମିଡିଆ ଲାଇମଲାଇଟରେ ରହିବାକୁ ଏଭଳି ବିବୃତି ଦେଉଛନ୍ତି ବୋଲି ସୁଶୀଲ ମୋଦି କହିଛନ୍ତି ।
