ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ଟାଟା ଗ୍ରୁପର ଅଂଶ ବିଶେଷ ଏୟାର ଇଣ୍ଡିଆ ଏବେ ସମ୍ପ୍ରସାରଣ ଦିଗରେ ଉଦ୍ୟମ ଜାରି ରଖିଛି । କମ୍ପାନି ଆଗାମୀ ଦିନରେ ଏହାର ଫ୍ଲିଟ୍‌ରେ ନୂଆ ୫୦୦ ବିମାନ ଯୋଡିବାକୁ ଲକ୍ଷ୍ୟ ରଖିଛି । ଏହି ବିମାନଗୁଡିକ ବିଶେଷ କରି ଏୟାରବସ୍‌ ଏବଂ ବୋଇଙ୍ଗ୍‌ ଭଳି କମ୍ପାନି ଯୋଗାଇବେ । ଏ ନେଇ ଡିଲ୍‌ ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।ନୂଆ ବିମାନ ମଧ୍ୟରେ ୪୦୦ ନ୍ୟାରୋ ବଡି ଜେଟ୍‌ ଏବଂ ୧୦୦ ୱାଇଡ୍‌ ବଡି ବିମାନ ସାମିଲ ରହିବ । ଏଥିରେ ୧୨ରୁ ଉଦ୍ଧ୍ୱର୍ ଏୟାରବସ୍‌ ୩୫୦ ଏସ୍‌, ବୋଇଙ୍ଗ୍‌ ୭୮୭ଏସ୍‌ ଏବଂ ୭୭୭ ଭଳି ମଡେଲ ଯୋଡି ହେବ । ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦେବାକୁ ଟାଟା ଗ୍ରୁପ ଏବେ କାମ କରୁଛି ।

କୌଣସି ବିମାନ କମ୍ପାନି ପକ୍ଷରୁ ବିମାନ କିଣାରେ ଏହା ସର୍ବବୃହତ୍ତ ଡିଲ୍‌ ହୋଇପାରେ ବୋଲି କୁହାଯାଉଛି । ଗୋଟିଏ ଦଶନ୍ଧି ତଳେ ଆମେରିକୀୟ ବିମାନ କମ୍ପାନିଗୁଡିକ ମିଳିତ ଭାବେ କିଣିଥିବା ୪୬୦ ବିମାନ ତୁଳନାରେ ଏହା ଢ଼େର ଅଧିକ ହେବ ତେଣୁ ଏହାକୁ ଏକ ଐତିହାସିକ ଡ଼ିଲ୍ କୁହାଯାଉଛି। ତେବେ ଡିଲ୍‌ ବେଳେ ଏୟାର ଇଣ୍ଡିଆକୁ ବୃହତ୍ତ ପରିମାଣର ରିହାତି ମିଳିପାରେ । ଏନେଇ ଉଭୟ ବୋଇଙ୍ଗ୍‌, ଏୟାରବସ୍‌ ଏବଂ ଟାଟା ଗ୍ରୁପର ପ୍ରତିକ୍ରିୟା ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ ।

ଟାଟା ଏବଂ ଭିସ୍ତାରର ମିଶ୍ରଣ ଘୋଷଣା ପରେ ଏହି ଡିଲ୍‌ ହେବା ନେଇ ଶୁଣାଯାଉଛି । ବିମାନ ସଂଖ୍ୟା ବଢ଼ାଇ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ଉପସ୍ଥିତି ବଢ଼ାଇବା ଦିଗରେ କମ୍ପାନି ଏବେ ଆଗକୁ ବଢ଼ୁଛି । ଡିଲ୍‌ ପରେ ୨୧୮ ବିମାନ ସହ ଟାଟା ଅନ୍ତର୍ଜାତୀୟ ବିମାନ ସେବା କ୍ଷେତ୍ରରେ ଦେଶର ପ୍ରଥମ କମ୍ପାନି ଏବଂ ଘରୋଇ ବଜାରରେ ସେବା କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତ କମ୍ପାନି ପାଲଟିଛି ।

ବର୍ତ୍ତମାନର ଏୟାର ଇଣ୍ଡିଆକୁ ୧୯୩୨ରେ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ । ଏହା ୧୯୫୩ରେ ଘରୋଇକରଣ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ଟାଟା ଏହାକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ଆଣିଛି । ତେବେ ବିଶ୍ୱ ବଜାରରେ ଏକ ଦୃଢ଼ ସ୍ଥିତି ବଜାୟ ରଖିବା ନେଇ ଟାଟାର ଏହି ଉଦ୍ୟମ ଆହ୍ୱାନପୂର୍ଣ୍ଣ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।