ଭୁବନେଶ୍ୱର,୧୬/୮(ସତ୍ୟପାଠ ବ୍ୟୁରୋ): ଘୋଷଣା ହୋଇଛି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ତେବେ ଦମନର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଛି ଏହି ଚଳଚିତ୍ରରେ ।
ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ ମହାନ୍ତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।
ସେପଟେ ରିଷବ ସେଟ୍ଟୀଙ୍କୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା, ନିତ୍ୟା ମେନନ୍ ଓ ମାନସୀ ପାରେଖଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚିତ୍ର ପୁରସ୍କାର ମିଳିବ। ଚର୍ଚ୍ଚିତ ଚଳଚ୍ଚିତ୍ର କାନ୍ତାରା ପାଇଁ ରିଷବଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି। ସେହିପରି ଥିରୁଚିତ୍ରାମ୍ବଲମ ପାଇଁ ନିତ୍ୟା ଓ କଚ୍ଛ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି। ଶର୍ମିଲା ଟାଗୋରଙ୍କ ଅଭିନୀତ ‘ଗୁଲମୋହର’କୁ ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ମିଳିଛି।