ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ହେବ ଅଦଳବଦଳ ।ପଂଚମ ପାଳି ସରକାରରେ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ପୂର୍ବାହ୍ନ ୧୧ଟା ୪୫ମିନିଟରେ ଅନୁଷ୍ଠିତ ହେବ । ଗତକାଲି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ ଆଜି ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି ।

ସୂଚନା ଅନୁସାରେ, ଆଜି ଶପଥ ନେବାକୁ ଥିବା ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବାକୁ ଥିବାବେଳେ ସେଥିରେ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ।

୮ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇବେି ଓ ଅନ୍ୟ ୧୩ଜଣ ନୂଆ ମୁହଁଙ୍କୁ ସାମିଲ ହୋଇଛନ୍ତି । ପ୍ରଥମଥର ପାଇଁ ୭ଜଣ ସମ୍ପୂର୍ଣ୍ଣ ନୂଆ ମୁହଁ ବୋଲି ଜଣାପଡ଼ିଛି । ତେବେ ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁଙ୍କ ସମେତ ମୋଟ ୧୨ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଛି।

ଆଜି ଯେଉଁମାନେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍‌, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା ଓ ରାଜେନ୍ଦ୍ର ଢୋଲକିଆ।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।

ସୂଚନାଯୋଗ୍ୟ, ଆଜି ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ସହ ବିଭାଗ ମଧ୍ୟ ବଣ୍ଟନ ହେବ ବୋଲି ସୂଚନା ମିଳିଛି । ତେବେ କାହାକୁ କେଉଁ ପଦ ମିଳିବ ସେନେଇ ସଠିକ୍ ସୂଚନା ମିଳିପାରିନାହିଁ ।