ଆଜି ରାଜ୍ୟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ; ଫେରିପାରେ ମାସ୍କ ବାଧ୍ୟତାମୂଳକ ନିୟମ

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସ୍ଥିତି ଓ ଆଗକୁ ଏହାର ମୁକାବିଲା ପାଇଁ ସୋମବାର ବସିବ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିବେ । ଚୀନରେ ନୂଆ କୋଭିଡ୍‌ ଭାରିଆଣ୍ଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନପ୍ଲାନ ପ୍ରସ୍ତୁତ ହେବ ।ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଉପରେ ଫୋକସ୍‌ ରହିବ । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇପାରେ ବୋଲି ସୂଚନା ମିଳିଛି ।

ଅପରାହ୍ଣ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ । ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛ । ସଂକ୍ରମଣ ଆଶଙ୍କା ଏଡ଼ାଇବା ସହ ସର୍ଭେଲାନ୍ସକୁ ଜୋର୍‌ଦାର୍‌ କରିବା, ଅକ୍ସିଜେନ୍‌ ଓ ହସ୍ପିଟାଲ ଶଯ୍ୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜିନମ ସିକ୍ୱେନ୍ସିଂ ବଢ଼ାଇବା ଉପରେ ମଧ୍ୟ ଆଲୋଚନା ହୋଇପାରେ ।

ସୋମବାର ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସହ ପୂରା ରାଜ୍ୟରେ କୋଭିଡ୍‌ ସ୍ଥିତି ପରଖିବାକୁ ମକ୍‌ଡ୍ରିଲ ହେବ । ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ବେଡ୍‌, ଅକ୍ସିଜେନ୍‌ ବେଡ୍‌ ମହଜୁଦ ଅଛି କି ନାହିଁ ? ଦୈନିକ କେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି? କେତେ ଜିନମ୍‌ ସିକ୍ୱେନ୍ସିଂ ହେଉଛି? ଟିକାକରଣର ସ୍ଥିତି କ’ଣ? ଏ ସବୁର ତଥ୍ୟ କେନ୍ଦ୍ର ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ଅପଲୋଡ୍‌ କରିବେ ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜ । କିଛି ଦେଶରେ ପୁଣି ଥରେ ସଂକ୍ରମଣ ମାଡୁଥିବାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହି ମକ୍‌ ଡ୍ରିଲ ହେଉଛି।

Related Posts