ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ରାତି ୧୦ଟା ୩୦ରେ ଶ୍ରୀ ନବୀନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଂସଦ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଦିଲୀପ ରାୟଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ବିଧାୟକ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହାପରେ ସେ ରାଜ୍ୟ ଅତିଥି ଭବନରେ ରାତ୍ରିଯାପନ କରିଥିଲେ।

ଶ୍ରୀ ନବୀନ ସୋମବାର ସକାଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍‌ କମିଟି ବୈଠକରେ ଯୋଗ ଦେବେ। ଏହା ପରେ ଜଟଣୀସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ୍‌ ହେଲ୍‌ଥ (ଏଆଇପିଏଚ୍‌) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଶିବିରକୁ ଉଦ୍‌ଘାଟନ କରିବା ସହ ଉଦ୍‌ବୋଧନ ଦେବେ। ମଧ୍ୟାହ୍ନରେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ। ରାଷ୍ଟ୍ରୀୟ ସଭାପତି ଅପରାହ୍ଣରେ ଭୁବନେଶ୍ବର ଫେରି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଏହାପରେ ରାତିରେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।