ଏନଡିଏ ନୁହଁ କି ଇଣ୍ଡିଆ ନୁହଁ; ଲୋକସଭା ନିର୍ବାଚନ ଏକା ଲଢ଼ିବ ବିଏସପି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ ବହୁଜନ ସମାଜ ପାର୍ଟି | ଉଭୟ ଏନଡିଏ କି ଇଣ୍ଡିଆ ମେଣ୍ଟରେ ବିଏସପି ସାମିଲ ହବନାହିଁ ବୋଲି ଆଜି କହିଛନ୍ତି ଦଳର ସୁପ୍ରିମୋ ମାୟାବତୀ | କୌଣସି ବି ମେଣ୍ଟରେ ସାମିଲ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ମାୟାବତୀ | ବହୁଜନ ସମାଜର ହିତ ପାଇଁ ବିଏସପି ଆଗାମୀ ନିର୍ବାଚନ ଏକା ଲଢ଼ିବ ବୋଲି ସେ କହିଛନ୍ତି |

ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶରେ ବିଏସପି ଏକାକୀ ନିର୍ବାଚନ ଲଢିବା ଦ୍ୱାରା ବିରୋଧୀଙ୍କ ମନରେ ଛନକା ପଶିଛି । ଯେଉଁଥିପାଇଁ ପ୍ରତିଦିନ କିଛି ମିଛ ପ୍ରଚାର କରାଯାଉଛି । କିନ୍ତୁ ବହୁଜନ ସମାଜର ହିତ ପାଇଁ ବିଏସପି ଏକାକୀ ନିର୍ବାଚନ ଲଢିବ ଏବଂ ଏହି ନିଷ୍ପତ୍ତିରେ ଆମେ ଅଟଳ । ଆଗାମୀ ଲୋକସଭା ନିର୍ବାଚନରେ କୌଣସି ଦଳ ସହ ବିଏସପି ମେଣ୍ଟ କରିବନି ବୋଲି ମାୟାବତୀ ସ୍ପଷ୍ଟ କରିଥିଲେ । ଏହାପୂର୍ବରୁ ଗତ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲା ବିଏସପି । ୩୮ଟି ଆସନରେ ବିଏସପି ନିର୍ବାଚନ ଲଢିଥିବା ବେଳେ ୨୨% ଭୋଟ ହାସଲ କରିଥିଲା ।

ସୂଚନାଯୋଗ୍ୟ ଯେ, ବହୁଜନ ସମାଜ ପାର୍ଟିର ଉତ୍ତରପ୍ରଦେଶ ସମେତ ଆଉ କିଛି ରାଜ୍ୟରେ ମଧ୍ୟ ସଂଗଠନ ରହିଛି | ଏଥିପାଇଁ ଦଳ ଲୋକସଭା ନିର୍ବାଚନ ପୂର୍ବରୁ ଜାତୀୟ ସ୍ତରରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ମିଳିତ ବିରୋଧୀ ଦଳଙ୍କ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ଆଲୋଚନା ଚାଲିଥିଲା | ହେଲେ ଆଜି ନିଜେ ବିଏସପି ସୁପ୍ରିମୋ ମାୟାବତୀ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି |

Related Posts