ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବକଳେବର ୨୦୧୫ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗ ଓ ସେବାୟତମାନଙ୍କୁ ନିତିକନ୍ତି ପାଇଁ କ୍ଷତିପୂରଣ ଓ ପାଉଣା ବାବଦକୁ ୮କୋଟି ୪୪ ଲକ୍ଷ ୯୪ ହାଜର ୬୫୩ ଟଙ୍କା ପ୍ରଦାନ କରାଯାଇଛି। ଏନେଇ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗୀରର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଜନ ସୂଚନା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି। ସେ ସମୟରେ ଶ୍ରଦ୍ଧାଳୁଙ୍କୁ ରଥ ଚଢିବା କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ। ଠାକୁରଙ୍କ ୩ ରଥକୁ ଚଢିବା କଟକଣା ବାବଦକୁ ଦଇତାପତି ନିଯୋଗକୁ କେବଳ କ୍ଷତିପୂରଣ ରାଶି ୨କୋଟି ୫ ଲକ୍ଷ ୪୩ ହାଜର ୫୦୦ ଟଙ୍କା ୨୦୧୬-୧୭ ଆର୍ଥିକ ବର୍ଷରେ ଦିଆଯାଇଛି।
ପ୍ରଭୁଙ୍କ ନବ ଯୌବନ ଦର୍ଶନ ଏବଂ ଗରା, ଥାଳି, ପିଙ୍ଗନ, ଆଦି ଓ ଅନ୍ୟାନ୍ୟ ନୀତି ପାଇଁ ଜିନିଷପତ୍ର ବଦଦକୁ ୨କୋଟି ୮୧ ଲକ୍ଷ ୪୨ ହାଜର ୫୭୯ ଟଙ୍କା ପ୍ରାପ୍ୟ ଓ କ୍ଷତିପୂରଣ ଦିଆଯାଇଛି। ବିଭିନ୍ନ ନିଯୋଗ ଓ ସେବାୟତଙ୍କ ପାଇଁ ସ୍ବତନ୍ତ୍ର ପାଉଣା ବାବଦକୁ ୧କୋଟି ୨୧ ଲକ୍ଷ ୫୫ହାଜର ୭୬୬ ଟଙ୍କା ଦିଆଯାଇଥିଲା। ପ୍ରତିହାରୀ ଓ ସୁଆରବଡୁ ସେବାୟତଙ୍କ ପାରମାଣିକ ଅଂଶ ବାବଦକୁ ୧କୋଟି ୭୯ ଲକ୍ଷ ୭୭ ହାଜର ୩୫୬ ଟଙ୍କା ଦିଆଯାଇଛି।ଏହିଭଳି କର୍ମକୃତ୍ୟ, ବନଯାଗ, ହବିଷ୍ୟ ଇତ୍ୟାଦିର ପାଉଣା ବାବଦକୁ ମୋଟ ୮କୋଟି ୪୪ ଲକ୍ଷ ୯୪ ହାଜର ୬୫୩ ଟଙ୍କା ଦିଆଯାଇଛି।
କ୍ଷତିପୂରଣ ସତ୍ତ୍ୱେ ରଥକୁ ଚଢ଼ିଥିଲେ ଶ୍ରଦ୍ଧାଳୁ
ତେବେ ଶ୍ରଦ୍ଧାଳୁଙ୍କ ରଥଚଢ଼ାକୁ ବାରଣ କରାଯିବା ବାବଦକୁ ଦଇତାପତି ନିଯୋଗକୁ ବିପୁଳ କ୍ଷତିପୂରଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ହେଲେ କ୍ଷତିପୂରଣ ମିଳିବା ସତ୍ତ୍ୱେ ନବକଳେବର ବର୍ଷରେ ଶ୍ରୀଗୁଣ୍ଡିଚା ଆଡ଼ପ ପହଣ୍ଡି ବେଳେ ଜଣେ ମହିଳା ଶ୍ରଦ୍ଧାଳୁ ରଥ ଉପରକୁ ଚଢ଼ିଥିବା କଥା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ସରକାର ଓ ପ୍ରଶାସନ ଶ୍ରୀମନ୍ଦିର ସେବାୟତଙ୍କୁ ଠାକୁରଙ୍କ ସେବା ପାଇଁ ବିପୁଳ ପରିମାଣର ଅର୍ଥରାଶି ପ୍ରାପ୍ୟ ଓ କ୍ଷତିପୂରଣ ଦେବା ଘଟଣାକୁ ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡା ସ୍ଵାଗତ କରିଥିଲେ ମଧ୍ୟ ନବକଳେବର ଓ ବିଭିନ୍ନ ସମୟରେ ହେଉଥିବା ଚରମ ବିଶୃଙ୍ଖଳାକୁ ତୀବ୍ର ନିନ୍ଦା କରିଛନ୍ତି।ସେବାୟତମାନଙ୍କୁ କ୍ଷତିପୂରଣ ଓ ପ୍ରାପ୍ୟ ଦିଆଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ଓ ରଥଯାତ୍ରାର ବିଶୃଙ୍ଖଳାକୁ ସରକାର ଓ ପ୍ରଶାସନ ଦୂର ନକରି ପାରିବା ଦ୍ଵାରା ସମଗ୍ର ରାଜ୍ୟରେ ସରକାର ଓ ପ୍ରଶାସନ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶ୍ରୀମନ୍ଦିର ର ବିଭିନ୍ନ ନୀତିକାନ୍ତି ଓ ଯାନିଯାତ୍ରାରେ ଆହୁରି ଶୃଙ୍ଖଳାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି।





