ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ରାଜ୍ୟର ସମସ୍ତ ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ପ୍ରେସ୍‌ ରିଲିଜ ଜାରି କରି ସୂଚନା ଦେଇଛନ୍ତି । ଆଜି ପର୍ଯ୍ୟନ୍ତ କେବଳ ଅନଲାଇନ୍‌ ପୋର୍ଟାଲ ସିଆମ୍ ଡଟ୍ ଇନ୍‌ରେ ବୁକିଂ କରିହେଉଥିଲା ଫଳରେ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏବଂ ଅନଲାଇନ୍‌ ଅଭିଜ୍ଞତା ଅଭାବ ଯୋଗୁଁ ହଇରାଣ ହେଉଥିଲେ ।

ଏପରିକି ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା,ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ ଥିଲା। ଏହାକୁ ନେଇ ଗାଡ଼ି ଚଳକଙ୍କ ଚିନ୍ତା ବଢ଼ିଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ଅବଧିକୁ ବଢ଼ାଇ ଦିଆଯାଇଥିଲା।ଗାଡ଼ି ମାଲିକମାନେ ସେମାନଙ୍କ ସୁବିଧା ଅନୁଯାୟୀ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ରେ ଏଥିପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ସୂଚନା ଦେଇଛନ୍ତି।

ଏଯାଏ ବୁକିଂ ସୁବିଧା କେବଳ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ଥିଲା। ଏବେ ଲୋକଙ୍କ ପାଇଁ ଏହାକୁ ସହଜ କରିବା ପାଇଁ ‘ମୋ ସେବା କେନ୍ଦ୍ର’କୁ ବ୍ୟବହାର କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି)କୁ ଏ ନେଇ ଅନୁରୋଧ କରିଛି। ସେହି ଅନୁଯାୟୀ ଓସିଏସି ଏହି ସୁବିଧାକୁ ରାଜ୍ୟର ସମସ୍ତ ‘ମୋ ସେବା କେନ୍ଦ୍ର’ରେ ଉପଲବ୍ଧ କରାଇଛନ୍ତି। ଇଣ୍ଟରନେଟ୍ ସୁବିଧା ପର୍ୟ୍ୟାପ୍ତ ନ ଥିବା ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏହା ସାହାଯ୍ୟ କରିବ।

ଏହାବ୍ୟତୀତ ରାଜ୍ୟ ପରିବହନ ବିଭାଗ ସମସ୍ତ ଓଇଏମ୍‌ (ଯାନ ନିର୍ମାତା)ଙ୍କୁ ଆରଟିଓ କାର୍ଯ୍ୟାଳୟରେ ଗାଡ଼ିମାଲିକମାନଙ୍କୁ ନମ୍ବର ପ୍ଲେଟ୍ ବୁକିଂ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆର୍‌ଟିଓ ଓ ଏଆର୍‌ଟିଓ କାର୍ଯ୍ୟାଳୟ (୩୮ଟି ଅଫିସ୍) ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲପ୍ ଡେସ୍କ ଖୋଲାଯିବ। ଏହାସହିତ ଓଇଏମ୍‌ମାନଙ୍କୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ୟାମ୍ପ ଅଥବା ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ଓଇଏମ୍‌ ଡିଲର ନେଟୱାର୍କ ଉପଲବ୍ଧ ନାହିଁ, ସେଠାରେ ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ଓଇଏମ୍‌ଗୁଡ଼ିକ କ୍ୟାମ୍ପ ଫିଟ୍‌ମେଣ୍ଟ ସେଣ୍ଟର ଅଥବା ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି।

ସୂଚନାଯୋଗ୍ୟ ଯେ, ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ବୋଲି ଧାର୍ଯ୍ୟ କରାଯାଇଛି। ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ରହିଛି।