ଏଣିକି ରାସ୍ତାରେ ମୃତଦେହ ରଖି ଦାବି ପୂରଣ କରିବାର ଦାବି କରିପାରିବେନି ମୃତକଙ୍କ ସମ୍ପର୍କୀୟ: ଅପରାଧ ବୋଲି କରାଯିବ ବିବେଚନା

ଲଖନଉ: ଏଣିକି ରାସ୍ତାରେ ମୃତଦେହ ରଖି ଦାବି ପୂରଣ କରିବାର ଦାବି କରିପାରିବେନି ମୃତକଙ୍କ ସମ୍ପର୍କୀୟ | ଏପରି କଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯିବ । ଉତ୍ତରପ୍ରଦେଶର ରାଜରାସ୍ତାରେ ଏଭଳି ବିରୋଧ ପ୍ରଦର୍ଶନ କଲେ ଅପରାଧ ବୋଲି ବିବେଚନା କରାଯିବ |

ମିଳିଥିବା ସୂଚନା ମୁତାବକ କୌଣସି ଅପରାଧିକ ଘଟଣା କିମ୍ବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ନେଇ ଉତ୍ତରପ୍ରଦେଶ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା (ଏସଓପି) ପ୍ରସ୍ତୁତ କରିଛନ୍ତି। ଆଉ ଏସଓପିରେ କୁହାଯାଇଛି ଯେ ମୃତଦେହ ରାସ୍ତାରେ ରଖି ଏହାର ପ୍ରତିବାଦରେ ରାସ୍ତା ଅବରୋଧ କରାଯାଇପାରିବ ନାହିଁ। ଏପରି କରିବା ବର୍ତ୍ତମାନ ଏକ ଦଣ୍ଡନୀୟ ଅପରାଧ ହେବ। ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଯଦି କେହି ମୃତକ ବ୍ୟକ୍ତିଙ୍କ ଶବକୁ ରାସ୍ତା ବା ସାର୍ବଜନିକ ସ୍ଥାନରେ ରଖି ପ୍ରତିବାଦ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ |
କାରଣ ମୃତଦେହ ପ୍ରତି ଏହା ଅପମାନ ସଦୃଶ ହୋଇଥାଏ | ଏସଓପି ଅନୁଯାୟୀ, ଏଣିକି ମୃତଦେହ ପୋଷ୍ଟମର୍ଟମ ପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କୁ ଲିଖିତ ଆକାରରେ ଏକ ସ୍ବୀକାରୋକ୍ତି ଦେବାକୁ ପଡିବ | ଏହି ସ୍ବୀକାରୋକ୍ତିରେ ମୃତକଙ୍କ ପରିବାର ସଦସ୍ୟ ଲେଖିବେ ଯେ ସେମାନେ ଶବକୁ ସିଧାସଳଖ ନିଜ ଘରକୁ ନେଇଯିବେ ଏବଂ ପରେ ଅନ୍ତିମ ସଂସ୍କାର କରାଇବେ | କୌଣସି ଦାବି ପୂରଣ ପାଇଁ ବିରୋଧର ଚିହ୍ନ ଭାବରେ କୌଣସି ସ୍ଥାନରେ ମୃତଦେହ ରଖିବାକୁ ଅନୁମତି ଦିଆଯିବ ନାହିଁ। ଏହିପରି କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ଯେକୌଣସି ସଂଗଠନ ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଯେଉଁଠାରେ ରାତିରେ ଶବଦାହ କରାଯିବ, ମୃତକଙ୍କ ପରିବାରକୁ ଲିଖିତ ଆକାରରେ ସେମାନଙ୍କ ସମ୍ମତି ଦେବାକୁ ପଡିବ ଏବଂ ସମଗ୍ର ପ୍ରକ୍ରିୟା ଭିଡିଓଗ୍ରାଫି କରାଯିବ।

Related Posts