
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନଏସଇ ଘୋଟାଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଚିତ୍ରା ରାମକୃଷ୍ଣଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ଅଦାଲତ । ତେବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଏବଂ ଗ୍ରୁପଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଜାମିନକୁ ଖାରଜ କରି ସ୍ୱତନ୍ତ୍ର ବିଚାରପତି ସଞ୍ଜୀବ ଅଗ୍ରୱାଲ କହିଛନ୍ତି ଯେ ସେମାନଙ୍କୁ ଜାମିନ ପ୍ରଦାନ କରିବା ପାଇଁ ପର୍ୟ୍ୟାପ୍ତ ଆଧାର ନାହିଁ। ସେପଟେ ଅଭିଯୁକ୍ତଙ୍କ ଓକିଲ ଅରଶଦୀପ ସିଂଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ନିଜର ଆଦେଶ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଧ୍ୟ ସେମାନଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲା ଯେ ସେମାନେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବେ ଏବଂ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରିବେ।
ଏହି ଅପରାଧର ପ୍ରକୃତି ଏବଂ ଗମ୍ଭୀରତା ଅତ୍ୟନ୍ତ ଗୁରୁତର ଏବଂ ଆର୍ଥିକ ସ୍ଥିରତା ଉପରେ ସୁଦୂରପ୍ରସାରୀ ପ୍ରଭାବ ଓ ପ୍ରତିକ୍ରିୟା ରହିଛି। ଦେଶର ସର୍ବବୃହତ ଷ୍ଟକ୍ ଏକ୍ସଚେଞ୍ଜରେ ଅନିୟମିତତା ବିଷୟରେ ନୂତନ ଖୁଲାସା ମଧ୍ୟରେ ମେ ୨୦୧୮ ରେ ଏହି ମାମଲାକୁ ନେଇ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ଷ୍ଟକ ଏକ୍ସଚେଞ୍ଜର କମ୍ପ୍ୟୁଟର ସର୍ଭରରୁ ଷ୍ଟକ୍ ଦଲାଲମାନଙ୍କୁ ସୂଚନାର ଅନୁପଯୁକ୍ତ ପ୍ରସାର ଅଭିଯୋଗରରେ ଏମାନେ ଅଭିଯୁକ୍ତ ଥିଲେ, ଯାହାର ତଦନ୍ତ ସିବିଆଇ କରୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।