ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର,୨/୬(ସତ୍ୟପାଠ ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ବିଶ୍ୱ ପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେବା ସହ ସମସ୍ତ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛି ।

ଉପାଧ୍ୟକ୍ଷ ପଦ ପାଇଁ ଭୋଟ୍ ହୋଇଥିଲା । ୧୪୮ ଭୋଟରୁ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଥିଲା ୧୧୩ ଖଣ୍ଡ ଭୋଟ୍ । ମୃତ୍ୟୁଞ୍ଜୟ ମହାପାତ୍ର ଏହି ପଦରେ ୨୦୨୩ରୁ ୨୦୨୭ ମସିହା ଯାଏ ରହିବେ । ପାଣିପାଗ ହେଉ ଅବା ବାତ୍ୟା ଆକଳନ କ୍ଷେତ୍ରରେ ମୃତ୍ୟୁଞ୍ଜୟ ମହାପାତ୍ର ଭାରତ କାହିଁକି ଏସିଆ ମହାଦେଶରେ ଜଣେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏବେ ସେ ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିଶ୍ୱ ସ୍ତରରେ ପ୍ରତିଟି ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛି ।

Related Posts