ଓଡିଶାରେ ଆଂଶିକ କୋହଳ ହେଲା ଲକଡାଉନ୍ କଟକଣା : ବନ୍ଦ ରହିବ ବସ୍ ଚଳାଚଳ , ଖୋଲିବ ଉଠା ଦୋକାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଲକଡାଉନ କଟକଣାକୁ ଆଂଶିକ କୋହଳ କରିଛନ୍ତି ସରକାର । ସଂକ୍ରମଣ କମିଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲାରେ ସକାଳ ୬ ରୁ ସଂଧ୍ୟା ୫ ଯାଏ କଟକଣା କୋହଳ କରାଯାଇଥିବା ବେଳେ କେନ୍ଦ୍ରୀୟ ଓଡ଼ିଶାର ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏଁ କଟକଣା କୋହଳ କରାଯାଇଛି। ୧୭ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ହେତୁ କଟକଣା କୋହଳ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣା କୋହଳ ହୋଇଥିବା ୧୭ ଟି ଜିଲ୍ଲା ହେଉଛି – ସୁନ୍ଦରଗଡ଼ , ଝାରସୁଗୁଡା , ବରଗଡ଼ , ସମ୍ବଲପୁର , ଦେବଗଡ଼ , କଳାହାଣ୍ଡି , ବଲାଙ୍ଗୀର , ନୂଆପଡା , ସୁବର୍ଣ୍ଣପୁର , ଗଞ୍ଜାମ , ଗଜପତି , କନ୍ଧମାଳ , ବଉଦ , କୋରାପୁଟ , ନବରଙ୍ଗପୁର , ମାଲକାନଗିରି ଏବଂ ରାୟଗଡା। ସେହିପରି ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା , ପୁରୀ , ନୟାଗଡ , କଟକ , କେନ୍ଦ୍ରାପଡା , ଜଗତସିଂହପୁର , ଯାଜପୁର , ଅନୁଗୁଳ , ଢେଙ୍କାନାଳ , ବାଲେଶ୍ବର , ଭଦ୍ରକ , ମୟୁରଭଞ୍ଜ ଏବଂ କେନ୍ଦୁଝର। ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହି ନିୟମ ଜୁଲାଇ ୧ ସକାଳ ୫ଟା ଯାଏ ବଳବତ୍ତର ରହିବ । ତେବେ କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମିଠା ଦୋକାନ ଖୋଲା ରହିବ। ତେବେ ପୂର୍ବପରୀ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ପୂର୍ବ ପରି ବାହାଘର ଭୋଜି ଏବଂ ଅନ୍ତିମ ସଂସ୍କାରରେ କଟକଣା ଜାରି ରହିବ। ଜିମ୍, ସେଲୁନ, ପାର୍କ, ସିନେମା ହଲ ପୂର୍ବ ଭଳି ବନ୍ଦ ରହିବ। ଏବଂ ସାରା ରାଜ୍ୟର ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଟିକାକରଣ, ଟେଷ୍ଟି ଏବଂ ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ । ସେହିପରି ମର୍ଣ୍ଣିଂ ୱାକ୍‌ ଓ ଜଗିଂକୁ ଅନୁମତି ଦିଆଯାଇଛି । ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ଉଠାଦୋକାନୀ ମାନଙ୍କୁ ବିକ୍ରି କରିବା ଅନୁମତି ଦିଆଯାଇଛି ତେବେ ଦୋକାନରେ ଖାଇବା ଉପରେ କଟକଣା ଲଗାଯାଇଛି, କିନ୍ତୁ ପାର୍ସଲ ନେବା ପାଇଁ ଅନୁମତି ଦିଆଯାଇଛି। ଏହା ସଙ୍ଗେ ସଙ୍ଗେ ସାଇକେଲ ଦୋକାନ ଓ ଗ୍ୟାରେଜ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ଆସନ୍ତା କାଲି ଠାରୁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ପ୍ରବେଶ କଟକଣା କୋହଳ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ସୀମାରେ କଟକଣା ପୂର୍ବଭଳି ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବସ୍‌ ଚଳାଚଳ ବନ୍ଦ ରହିବ। 

Related Posts