ଶୀତରେ ଥରୁଛି ଓଡ଼ିଶା: ୧୫ ଡିଗ୍ରୀ ତଳେ ୧୦ଟି ଅଞ୍ଚଳର ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ଖସିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୦ଟି ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡ଼ ଜିଲ୍ଲାର କିରେଇ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଠାରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସୋମବାର ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର କେତେକ ଅଞ୍ଚଳରେ ରାତି ବେଳେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । ସୁନ୍ଦରଗଡ଼ କିରେଇରେ ୯.୫ ଡିଗ୍ରୀ, କନ୍ଧମାଳର ଜି ଉଦୟଗିରିରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୨ ଡିଗ୍ରୀ, କନ୍ଧମାଳର ଫୁଲବାଣୀରେ ୧୨.୨ ଡିଗ୍ରୀ, ଦାରିଙ୍ଗବାଡ଼ି ୧୨.୫ ଡିଗ୍ରୀ, ସୁନ୍ଦରଗଡ଼ ୧୩ ଡିଗ୍ରୀ, ଝାରସୁଗୁଡା ୧୩.୨ ଡିଗ୍ରୀ, ଭଦ୍ରକର ରାଣୀତାଲ୍‌ରେ ୧୪.୫ ଡିଗ୍ରୀ, କୋରାପୁଟର ସେମିଳିଗୁଡ଼ାରେ ୧୪.୫ ଡିଗ୍ରୀ ଓ ବରଗଡ଼ରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହି କ୍ରମରେ ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକରେ ଯଥାକ୍ରମେ ୧୯.୯ ଡିଗ୍ରୀ ତାପମାତ୍ରା ଓ ୧୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପାମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆସନ୍ତା ରବିବାରଠାରୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ନେଇ ଆକଳନ କରାଯାଇଛି ।

ସେହିଭଳି ୬ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁ୍ମାନ କରିଛି ପାଣିପାଗ ବିଭାଗ ।

Related Posts