ସରକାରୀ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହାର ନେଇ ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫରଦ ହେଲା ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ଲାଗି ପଡିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦଣ୍ଡନୀୟ ଅପରାଧ। ଏହା ଦ୍ୱାରା ଅବାଧ, ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଠିତ ହେବାକୁ ନେଇ ସାଧାରଣରେ ବାରମ୍ବାର ପ୍ରଶ୍ନ ସୃଷ୍ଟି ହେଉଛି ।

ଏ ସମସ୍ତ ଅଗଣତାନ୍ତ୍ରିକ କାର୍ଯ୍ୟକୁ ରୋକ ଲଗାଇବା ଏବଂ ଆଇନ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱ ହେଉଛି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ। ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ଵେ କୈାଣସି ସୁଫଳ ମିଳୁ ନାହିଁ । ଏଭଳି ଅଗଣତାନ୍ତ୍ରିକ ଏବଂ ଦଣ୍ଡନୀୟ କାର୍ଯ୍ୟ ଉପରେ ରୋକ ନଲାଗିଲେ ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଗତ ୨ ଦିନ ତଳେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପଦ୍ମପୁରଠାରେ ସରକାରୀ ଶିକ୍ଷକମାନଙ୍କ ସହିତ ଦଳୀୟ ବୈଠକ କରିଥିବା ବେଳେ ଗତ କାଲି ରାଜ୍ୟ ସରକାରଙ୍କ ଅନ୍ୟ ଏକ ମନ୍ତ୍ରୀ ମଧ୍ୟ ଅନୁରୂପ ଅଗଣତାନ୍ତ୍ରୀକ କାର୍ଯ୍ୟ କରିଛନ୍ତି । ଗତ କାଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ଯାଜପୁର ଜିଲ୍ଲାର ବରିଷ୍ଠ ମନ୍ତ୍ରୀ ତଥା ଦଳର ସଂଗଠନ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାଶ ସରକାରୀ କଳର ଅପବ୍ୟବହାର କରି ପୂର୍ବତନ ବିଧାୟକ ସ୍ୱର୍ଗତଃ ବିଜୟ ରଂଜନ ସିଂହ ବରିହାଙ୍କ ବାସଭବନରେ ପଦ୍ମପୁର ନିର୍ବାଚନମଣ୍ଡଳୀର ସମସ୍ତ ପଂଚାୟତରେ କାର୍ଯ୍ୟରତ ଜିଆରଏସ, ଏମବିକେ ଏବଂ ମିଶନ ଶକ୍ତି କର୍ମଚାରୀଙ୍କ ସହିତ ବୈଠକ କରିଥିଲେ ।

ଏହି ବୈଠକରେ ଭୋଟରମାନଙ୍କୁ ପ୍ରଭାବିତ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଟଙ୍କା ବାଂଟିବାକୁ ମଧ୍ୟ କୁହାଯାଇଥିଲା । ଶାସକ ବିଜେଡି ତରଫରୁ ଏଭଳି ହୀନ କାର୍ଯ୍ୟ ଗତ ଧାମନଗର ଉପନିର୍ବାଚନରେ କରୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା । ଏହା କେବଳ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ନୁହେଁ ବରଂ ଏକ ଧର୍ତବ୍ୟ ଅପରାଧ । ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟ ଉପରେ ରୋକ ଲଗାନ୍ତୁ ଏବଂ ଆଇନ ଅମାନ୍ୟ କରିଥିବା ମନ୍ତ୍ରୀ ଢୋଲକିଆ ଏବଂ ଯାଜପୁର ଜିଲ୍ଲାର ବରିଷ୍ଠ ବିଧାୟକ ଦାଶଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ସିଇଓଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ପୁଜାରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାଣ୍ଡୋସିଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିନୟ ରଂଜନ ପଣ୍ଡା ଏବଂ ଡାଭା ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସୁଧୀର ରଥଙ୍କୁ ମଧ୍ୟ ଗିରଫ କରାଯିବାକୁ ସିଇଓଙ୍କ ନିକଟରେ ଦାବି କରାଯାଇଛି ।ଏହି ଅବସରରେ ରାଜ୍ୟ ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ହିତେଶ ମହାପାତ୍ର ଏବଂ ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts