ସମଗ୍ର ବିଶ୍ବରେ ଓଡ଼ିଶା ହେଉଛି ଷଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ : ଗତ ୧୦ ବର୍ଷରେ ଉପକୂଳ ଦେଇ ଯାଇଛି ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସମଗ୍ର ବିଶ୍ବରେ ସାମୁଦ୍ରିକ ବାତ୍ୟା ପ୍ରବଣ ତାଲିକାରେ ଓଡ଼ିଶାର ସ୍ଥାନ ହେଉଛି ଷଷ୍ଠ । ସାରା ଦେଶରେ ଥିବା ସମୁଦାୟ ଉପକୂଳର ପ୍ରାୟ ୧୭ ପ୍ରତିଶତ ଓଡ଼ିଶାରେ ଥିଲେ ମଧ୍ୟ ରାଜ୍ୟର ୩୫ ପ୍ରତିଶତ ଅଞ୍ଚଳ ବାତ୍ୟା ଏବଂ ଜୁଆରର ସମ୍ମୁଖୀନ ହେଉଛି। ବିଗତ ୧୦ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳ ଦେଇ ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଗତି କରିଛି। 

ଓଡ଼ିଶା ଉପକୂଳ ଦେଇ ବାତ୍ୟା ପ୍ରବାହିତ ହେଉଥିବା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ସାମୁଦ୍ରିକ ଜୁଆର ଆସିଛି। ଫଳରେ ସେଠାକାର ଅଧିକାଂଶ ଅଞ୍ଚଳରେ ଲୁଣାପାଣି ମାଡ଼ି ଯାଇଛି। ଭବିଷ୍ୟତରେ ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲୁଣା ଓ ବନ୍ୟାଘେରି ଗୁଡ଼ିକର ଉଚ୍ଚତା ବୃଦ୍ଧି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। 

ପରିବର୍ତିତ ଜଳବାୟୁ ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ଓ ଜୁଆରର ପୁନଃ ପୌନିକତା ଓ ତୀବ୍ରତା ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ଭାବ୍ୟ ଉଚ୍ଚ ସାମୁଦ୍ରିକ ଜୁଆର, ଉପକୂଳ କ୍ଷୟ, କୃଷି କ୍ଷେତ୍ର ଏବଂ ଜନବସତିକୁ ଲୁଣା ଜୁଆର ପ୍ରବେଶ ଓ ଏହାର ମୁକାବିଲା ପାଇଁ ରାଜ୍ୟରେ ଥିବା ଭିତ୍ତିଭୂମି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।

ସମୁଦ୍ର ଜୁଆର ମାଡି ଆସିବାର ସମ୍ଭାବନା ଥିବା ସ୍ଥାନ ଚିହ୍ନଟ କରି ଏହାର ମୁକାବିଲା ପାଇଁ ଲୁଣାଘେରି ପ୍ରକଳ୍ପ ପ୍ରସ୍ତୁତ କରିବା ଉପରେ ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଏହି ଅବସରରେ ଏସ୍ଆରସି କହିଥିଲେ ଯେ ସମୁଦ୍ର ଉପକୂଳର ମୃର୍ତିକା ସଂରଚନା ଓ ଭୂତାତ୍ବିକ ଅନୁଶୀଳନ କରି କେଉଁ ସ୍ଥାନରେ ବୈଷୟିକ କୌଶଳ ପ୍ରୟୋଗ ଫଳପ୍ରଦ ହେବ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲା ଗୁଡ଼ିକରେ ଗତବର୍ଷ ମାନଙ୍କରେ ରାଜ୍ୟରେ ପ୍ରାୟ ୧୬୩୬ କିଲୋମିଟର ଲୁଣାଘେରି ଓ ୫୮୬୪ କିଲୋମିଟର ବନ୍ୟାଘେରି ବନ୍ଧ ନିର୍ମାଣ କରାଯାଇଛି। ଏହି ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିସନର କମଳ ଲୋଚନ ମିଶ୍ରଙ୍କ ସମେତ ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରମୀମାନେ ଉପସ୍ଥିତ ଥିଲେ।

Related Posts