କଂଗ୍ରେସର ଅଭିଯୋଗ – ” ସୁରଜେୱାଲାଙ୍କ ସମେତ ୫ ଜଣ ବରିଷ୍ଠ ନେତାଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କିଛି ଦିନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ବିଟ୍‌ର ଆକାଉଣ୍ଟ ଅସ୍ଥାୟୀ ରୂପେ ସସ୍‌ପେଣ୍ଡ ହୋଇଥିଲା। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ଅଭିଯୋଗ ହୋଇଛି ଯେ କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲାଙ୍କ ସମେତ ୫ ଜଣ ବରିଷ୍ଠ ନେତାଙ୍କ ଟ୍ବିଟର ଆକାଉଣ୍ଟ ମଧ୍ୟ ଅସ୍ଥାୟୀ ଭାବେ ସସପେଣ୍ଡ କରାଯାଇଛି। 

 ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକେନ, ଲୋକସଭାରେ ଦଳର ସଚେତକ ମଣିକମ୍ ଟାଗୋର , ଦଳର ଆସାମ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟୁଇଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି ବୋଲି ପାର୍ଟି ଅଭିଯୋଗ କରିଛି। 

କିଛି ଦିନ ପୂର୍ବରୁ ଦିଲ୍ଲୀର ନାଙ୍ଗଲ ଅଞ୍ଚଳରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ୯ ବର୍ଷୀୟା ଝିଅର ପରିବାର ଲୋକଙ୍କ ଫଟୋ ଟ୍ବିଟ୍‌ରରେ ପୋଷ୍ଟ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ପରେ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ଏନେଇ ଟ୍ବିଟରକୁ ନୋଟିସ୍‌ ଜାରି କରିଥିଲା। ରାହୁଲ ଗାନ୍ଧୀ ସେୟାର କରିଥିବା ଫଟୋ ଡିଲିଟ୍‌ କରିବାକୁ ଆୟୋଗ ଟ୍ବିଟରକୁ ନୋଟିସ ଜାରି କରିଥିଲେ। 

ଏପଟେ ଏକ ପିଆଇଏଲ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଜଣାଇଥିଲା  ଯେ କଂଗ୍ରେସ ନେତାଙ୍କ ଟ୍ବିଟ୍ ଟ୍ୱିଟରର ନୀତି ଉଲ୍ଲଂଘନ କରିଛି  ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାରର ଫଟୋ ଟ୍ବିଟ୍ କରି ସେମାନଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଗତ ବୁଧବାର ଦିନ ନାବାଳିକାର ପରିବାରକୁ ଭେଟିଥିଲେ ଏବଂ ସେମାନଙ୍କ ନ୍ୟାୟ ପାଇଁ ସେ ଲଢେଇ ଜାରି ରଖିବେ ବୋଲି କହିଥିଲେ। 

Related Posts