ଜଳ ଯୋଗାଣରେ ଓଡ଼ିଶା ପଛୁଆ, ୬୮.୪୦ ପ୍ରତିଶତ ଲୋକଙ୍କୁ ଟ୍ୟାପ୍‌ ପାନୀୟ ଜଳ ଯୋଗାଇପାରି ନାହାନ୍ତି ସରକାର : ନୀତି ଆୟୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉଭୟ ପାନୀୟ ଜଳ ଯୋଗାଣ ଏବଂ ଜମିକୁ ଜଳସେଚନ ସୁବିଧା ଯୋଗାଇବାରେ ଓଡିଶା ବିଫଳ । ନୀତି ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ଜଳ ଯୋଗାଣ ଇଣ୍ଡେକ୍ସରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ପାନୀୟ ଜଳ ଯୋଗାଣରେ ସମ୍ପୃକ୍ତ ଥିବା ବିଭିନ୍ନ ଜାତୀୟ ଓ ରାଜ୍ୟ ସଂସ୍ଥା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ ଉଭୟ ପାନୀୟ ଜଳ ଏବଂ ଜମିକୁ ଜଳସେଚନ ସୁବିଧା ଯୋଗାଇବାରେ ଓଡ଼ିଶା ବିଫଳ ହୋଇଛି। ନୀତି ଆୟୋଗଙ୍କ  ଉକ୍ତ ସୂଚକାଙ୍କରେ ଉଲ୍ଲେଖ ରହିଛି ଯେ କେନାଲ ଲାଇନିଂ ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ପାରି ନାହିଁ । ଏହାସାଙ୍ଗକୁ ଆୟୋଗ ଗ୍ରାମ୍ୟ ଜଳ ଯୋଗାଣର ମାନରେ ଉନ୍ନତିକୁ ନେଇ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି । ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଏହି ସୂଚକାଙ୍କରେ ଆହୁରି ମଧ୍ୟ କୁହାଯାଇଛି ଯେ ଭୂତଳ ଜଳ ବିଷାକ୍ତ ହେଉଥିବା ବେଳେ ପାନୀୟ ଜଳ ଯୋଗାଣରେ ଶିଥିଳତା ଲୋକଙ୍କୁ ସମାନ ଜଳ ଯୋଗାଇ ପାରୁ ନାହିଁ। 

ତେବେ ୨୦୨୧ ଜୁଲାଇ ୨୬ ତାରିଖରେ ଲୋକ ସଭାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ସୂଚନା ମୁତାବକ ଓଡ଼ିଶାର ୩,୪୬୫ ଜନବସତିରେ ପାନୀୟ ଜଳ ଉତ୍ସ ରାସାୟନିକ ଉପାଦାନ ଫ୍ଲୋରାଇଡ, ଆର୍ସେନିକ, ଲୌହ, ଲବଣ, ନାଇଟ୍ରେଟ୍‌ ଏବଂ ହେଭି ମେଟାଲ ଦ୍ୱାରା ପ୍ରଦୂଷିତ ହେଉଛି । 

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆସାମ, ବିହାର ଓ ରାଜସ୍ଥାନ ପରେ ଜଳ ପ୍ରଦୂଷଣରେ ଓଡ଼ିଶା ହେଉଛି ଚତୁର୍ଥ ରାଜ୍ୟ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନାରେ ଅନୁଦାନ ଆସୁଥିବା ସତ୍ତ୍ୱେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳି ପାରୁ ନାହିଁ । ସୂଚନା ଥାଉକି ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମିଶନ ଯୋଜନାରେ ଓଡ଼ିଶାକୁ ୩,୩୨୩.୪୨ କୋଟି ପ୍ରଦାନ କରାଯାଇଛି। ଅନ୍ୟ କିଛି ରାଜ୍ୟ ତୁଳନାରେ ଓଡ଼ିଶାକୁ ପାନୀୟ ଜଳ ପାଇଁ ଅଧିକ ଅନୁଦାନ ଦିଆଯାଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଓଡ଼ିଶା ସରକାର ୬୮.୪୦ ପ୍ରତିଶତ ଲୋକଙ୍କୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇପାରି ନାହାନ୍ତି। ରାଜ୍ୟ ସରକାର କୌଣସି ଗୋଟିଏ ଜିଲାର ୧୦୦ ପ୍ରତିଶତ ଗୃହକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ପରିନଥିବା ଜଣା ପଡ଼ିଛି। ନୂଆପଡ଼ା ଜିଲାରେ ପିଇବା ପାଣିରେ ଫ୍ଲୋରାଇଡ ଏବଂ ଖଣି ପ୍ରଭାବିତ ଅଞ୍ଚଳ ମଧ୍ୟ ଚିନ୍ତାର ବିଷୟ ବୋଲି ନୀତି ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Related Posts