୧୬ ଦିନରେ ୧୪ ଥର ବୃଦ୍ଧି ପାଇଲା ତେଲ ଦର: ଜାଣନ୍ତୁ ଆଜି କୋଉଠି କେତେ ରହିଛି ଦର

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢ଼ି ଚାଲିଛି ତୈଳଦର। ବୁଧବାର ପେଟ୍ରୋଲ ଓ ଡିଜେଲ ଦର ପୁଣିଥରେ ୮୦ ପଇସା ଲେଖାଏ ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ୧୬ ଦିନରେ ୧୪ ଥର ତେଲ ଦର ବୃଦ୍ଧି ପାଇଲାଣି ।

୧୪ ଦିନ ଭିତରେ ଭୁବନେଶ୍ୱରରେ ପେଟ୍ରୋଲ ୧୦ ଟଙ୍କା ୭ ପଇସା ବୃଦ୍ଧି ପାଇଛି | ସେହିପରି ଡିଜେଲ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୨୪ ପଇସାରେ ପହଂଚିଛି । ପ୍ରାୟ ସାଢ଼େ ୪ମାସ ମାସ ପରେ ମାର୍ଚ୍ଚ ୨୨ରେ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିଲା । ମାର୍ଚ୍ଚ ୨୧ ପେଟ୍ରୋଲ ଦର ୧୦୧ ଟଙ୍କା ୮୧ ପଇସା ଓ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ଥିଲା । ସବୁଠାରୁ ବଡ କଥା ହେଉଛି ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୧୪୦ ଡଲାର ଥିଲା ।

ଏବେ ଏହା ପ୍ରାୟ ୧୦୦ ଡଲାରକୁ ହ୍ରାସ ପାଇଛି । ହେଲେ ଭାରତୀୟ ତୈଳ କମ୍ପାନୀ ମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଜାରି ରଖିଛନ୍ତି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡୁଛି ।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୭ ଟଙ୍କାରେ ପହଞ୍ଚି ଯାଇଛି। ଭୁବନେଶ୍ୱର ରେ ୧୧୨ ଟଙ୍କା ୫୦ ପଇସାରେ ପହଂଚିଛି । ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୮୫ ପଇସା ଓ ୮୪ ପଇସା ବଢ଼ିଛି। ଫଳରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ରେଡର୍କ ୧୨୦.୫୧ ଟଙ୍କା ଓ ଡିଜେଲର ଦାମ ୧୦୪.୭୭ ଟଙ୍କା ହୋଇଛି।

ସେପଟେ ଆଗକୁ ତୈଳଦର ଆହୁରି ବଢ଼ିବ ବୋଲି ମଧ୍ୟ ଆଶଙ୍କା ରହିଛି। ନଭେମ୍ବର ୪ରୁ ଦେଶରେ ତୈଳଦର ଅପରିବର୍ତ୍ତିତ ଥିଲା। ଏହି ସମୟରେ ଅଶୋଧିତ ତୈଳଦାମ ବଢ଼ିଥିଲେ ହେଁ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ ଓ ଡିଜେଲ ଦାମ ବଢ଼ାଇ ନଥିଲେ। ହେଲେ ମାର୍ଚ୍ଚ ୨୨ରୁ କ୍ରମାଗତ ଭାବେ ତୈଳଦର ବଢ଼ିବାରେ ଲାଗିଛି।

ବର୍ଦ୍ଧିତ ଦରକୁ ନେଇ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ତଥାପି ସରକାର ବିଭିନ୍ନ ଦେଶର ଆଳ ଦେଖାଇ ତୈଳଦର ବୃଦ୍ଧିକୁ ଠିକ୍‌ ବୋଲି କହିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି।

Related Posts