ଆସନ୍ତା ଶନିବାର ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଆସନ୍ତା ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଶନିବାର ଅପରାହ୍ନ ୩ଟା ୩୦ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରଥ | ଏନେଇ ଧାର୍ଯ୍ୟ ହୋଇଛି ସମୟ | ୧୩ ତାରିଖ ଦିନ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ୍ ମୁତୟନ ରହିବେ ।

ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରଥ ଉପରେ ଅଧିକ ଭିଡ଼ ହେଉଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଅଧିକ ଭିଡ଼ ଯୋଗୁଁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିୁନଥିବାରୁ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପୁଲିସ ଓ ନିଯୋଗ ପ୍ରତିନିଧି ଏଥିପାଇଁ ନଜର ରଖିବେ ବୋଲି ନିଷ୍ପତ୍ତି ହୋଇଛି । ବିଏମ୍‍ସି ପକ୍ଷରୁ ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ରଥ ଅବସ୍ଥାନ କରିବା ସ୍ଥାନରେ ପୂର୍ବ ଅପେକ୍ଷା ଅଧିକ ଆଲୋକ ବ୍ୟବସ୍ଥା କରାଯିବ। ନେତ୍ର ଉତ୍ସବ ଦିନ କେଦାରଗୌରୀ ନିକଟ ମରିଚି କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ତିଆରି କରାଯିବ ।

ସେହିପରି ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା ଓ ଛାମୁଡ଼ିଆ କରିବା ସହ ରାସ୍ତା ସଫା କରାଯିବ। ରାସ୍ତା କଡ଼ରେ ଥିବା ଡ୍ରେନ୍‍ ଉପରେ ସ୍ଲାବ୍‍ ପକାଇବା ସହ ଆବଶ୍ୟକସ୍ଥଳେ ବ୍ୟାରିକେଡ୍‌ କରାଯିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି । ଯାତ୍ରାକୁ ଲକ୍ଷ୍ୟ ରଖି ଅଧିକ ମୋ’ ବସ୍‌ ଚାଲିବ। ସେହିପରି ରଥ ଯିବା ସମୟରେ ବିଏମ୍‍ସି ହସ୍ପିଟାଲର ଏକ ଡାକ୍ତର ଟିମ ରଥ ପାଖାପାଖି ରହିବ। ରଥ ପଛରେ ଓ ଆଗରେ ଦମକଳବାହିନୀ, ଆମ୍ବୁଲାନ୍‍ସ ରହିବ। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଧଳା ଗାର ଟାଣାଯିବ। ରାସ୍ତାକୁ ମାଡ଼ିଥିବା ଗଛ କାଟିବା ସହ ବିଭିନ୍ନ କେବୁଲ ତାର ଗୁଡ଼ିକ ବାହାର କରିବ ଓ ଜେନେରେଟର ବ୍ୟବସ୍ଥା କରିବ ବୋଲି ନିଷ୍ପତ୍ତି ହୋଇଛି ।

କିନ୍ତୁ ଅନ୍ୟପଟେ ରୁକୁଣା ରଥ ଯାତ୍ରାକୁ ନେଇ ପ୍ରସ୍ତୁତି ଯେତେ ଜୋର ରେ ଆରମ୍ଭ କହିଛି ସେପଟେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ସେତେ ବଢିବାକୁ ଲାଗିଛି । ସେବାୟତଙ୍କ ଦାବିକୁ ପ୍ରଶାସନ ମାନୁନଥିବା ଅଭିଯୋଗ କରିଛନ୍ତି ସେବାୟତ ସଂଘ | ଏନେଇ ରଥ ଯାତ୍ରା ପୂର୍ବରୁ ବସିଥିବା ବୈଠକକୁ ଆସିନଥିଲେ ତିନି ନିଯୋଗର ସେବାୟତ । ଜିଲ୍ଲା ପ୍ରଶାସନ ପୋଲିସ୍ ବିଭାଗ ସମେତ ଅନ୍ୟ ବିଭାଗ ସହ ଆଲୋଚନା କରିଥିବା ବେଳେ ବ୍ରାହ୍ମଣ ନିଯୋଗ, ସମର୍ଥା ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତମାନେ ବୈଠକକୁ ଆସିନଥିଲେ ।

ସେବାୟତ ମାନେ ଦାବି କରିଛନ୍ତି ଲିଙ୍ଗରାଜଙ୍କ ସେବାପୂଜା କରିବା ପାଇଁ ଯେଉଁ ବନ୍ଦୋବସ୍ତ ଜମି ମିଳିଥିଲା, ପରେ ଲିଙ୍ଗରାଜଙ୍କ ଟ୍ରଷ୍ଟ ବୋର୍ଡ ନାଁକୁ ଚାଲିଯାଇଛି । ଏଥିରେ ସେବାୟତଙ୍କ ନାଁ ରଖିବାକୁ ଦାବି ହୋଇଛି । ସେହିପରି ଗର୍ଭଗୃହକୁ ପ୍ରବେଶ ପ୍ରସଙ୍ଗରେ ସେବାୟତଙ୍କ ମଧ୍ୟରେ କିଛି ଅସନ୍ତୋଷ ରହିଛି ।

କିନ୍ତୁ ଅସନ୍ତୁଷ୍ଟ ସେବାୟତ ମାନେ ରୁକୁଣା ରଥଯାତ୍ରାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।

Related Posts