ଚେନ୍ନାଇ: ବେଆଇନ ଡ୍ରଗ୍‌ ଚୋରାଚାଲାଣ ନେଟ୍‌ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍‌ ଗରୁଡ଼’ ଅଭିଯାନ ଆଗେଇ ଚାଲିଛି । ଏନେଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ପଞ୍ଜାବ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଣିପୁର, ମହାରାଷ୍ଟ୍ର ପୁଲିସ ଏବଂ ‘ଏନ୍‌ସିବି’କୁ ସାମିଲ କରି ଏହି ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବ‌େଳେ ପ୍ରାୟ ୬୬୦୦ ସନ୍ଦିଗ୍ଧ/ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ କରାଯାଇଛି, ୧୨୭ଟି ନୂଆ ମାମଲା ରୁଜୁ କରାଯାଇଛି ଏବଂ ୬ଜଣ ଫେରାର/ଅପରାଧୀ ଘୋଷିତଙ୍କ ସମେତ ୧୭୫ଜଣଙ୍କୁ ଗିରଫ କରାଯାଇଛି।

ଜବତ ହୋଇଥିବା ଡ୍ରଗ୍‌ ମଧ୍ୟରେ ରହିଛି, ୫.୧୨୫ କିଲୋ ହେରୋଇନ୍, ୩୩,୯୩୬ କିଲୋ ଗଞ୍ଜେଇ, ୩.୨୯ କ‌ିଲୋ ଚରସ୍‌, ୧୩୬୫ ଗ୍ରାମ୍‌ ‘ମେଫଡ୍ରୋନ୍‌’, ୩୩.୮୦ ସ୍ମାକ୍‌, ପ୍ରାୟ ୮୭ଟି ବଟିକା, ୧୨୨ଟି ଇଞ୍ଜେକ୍‌ସନ୍‌ ଏବଂ ୮୭ଟି ବୁପ୍ରେନର୍‌ଫାଇନ୍‌ ସିରିଞ୍ଜ୍, ୯୪୬ଟି ଆଲ୍‌ପାଜୋଲାମ୍‌ ବଟିକା, ୧୦୫.୯୯୭ କିଲୋ ଟ୍ରାମାଡଲ୍‌, ୧୦ ଗ୍ରାମ୍‌ ହାସ୍‌ ଅଏଲ୍‌, ୦.୯ ଗ୍ରାମ ଏକ୍‌ଷ୍ଟାସି ବଟିକା, ୧,୧୫୦ କିଲୋ ଅଫିମ, ୩୦ କିଲୋ ପୋସ୍ତ ତୁଷ, ୧.୪୩୭ କିଲୋ ନିଶା ଚୂର୍ଣ୍ଣ ଏବଂ ୧୧,୦୩୯ଟି ବଟିକା/କ୍ୟାପ୍‌ସୁଲ୍‌।

‘ସିବିଆଇ’ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଆନ୍ତର୍ଜାତିକ ଯୋଗସୂତ୍ର ଥିବା ଡ୍ରଗ୍‌ ନେଟ୍‌ୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ଡ୍ରଗ୍‌ ଚାଲାଣ ସଂକ୍ରାନ୍ତ ଗୁଇନ୍ଦା ତଥ୍ୟର ଦ୍ରୁତ ବିନିମୟ ଚାଲିଛି। ‘ଇଣ୍ଟର୍‌ପୋଲ୍‌ ଆଣ୍ଡ୍‌ ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ସହଯୋଗରେ ଏହି ବୈଶ୍ବିକ ଅଭିଯାନ ଚାଲିଛି। ଭାରତ ମହାସାଗର ଅଞ୍ଚଳରେ ଏଥିପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି ।