ଓଡ଼ିଆ ଭାଷା ଓ ଅସ୍ମିତା ସଙ୍କଟରେ ଅଛି: ମୋଦି

ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ପ୍ରଥମେ ଅମିତ ଶାହ, ପରେ ଜେପି ନଡ୍ଡା ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶାରେ ଚଳିତ ନିର୍ବାଚନରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ ବୋଲି ସ୍ପଷ୍ଟ କରିଛନ୍ତି ବିଜେପିର ଏହି ତିନି ନେତା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲାଉଥିବା ଭିକେ ପାଣ୍ଡିଆନ ଦଳର ପ୍ରଚାର ମଙ୍ଗ ଧରିଥିବା ବେଳେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସିଧା ତାଙ୍କୁ ନିଶାନା କରିଛନ୍ତି ବିଜେପିର ଟପ୍ ଲିଡର।

୨୦୨୪ ମହାସଂଗ୍ରାମ ଭିତରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି ଯେ ଓଡ଼ଆ ଅସ୍ମିତା ଏବେ ସଙ୍କଟରେ ରହିଛି। ରାଜ୍ୟ ବିଜେପି କ୍ଷମତାସୀନ ବିଜେଡି ବିରୋଧରେ ଲଢ଼ିବାକୁ ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି। ସେହିପରି ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବିଜେଡିକୁ ଟାର୍ଗେଟ କରିବା ବେଳେ ବାହାର ଲୋକଙ୍କୁ ଓଡ଼ିଶା ସରକାର ପ୍ରଶ୍ରୟ ଦେଉଛନ୍ତି ବୋଲି କହିଥିଲେ। ଏହି ପ୍ରସଙ୍ଗରେ ବିଜେଡି ଏଯାଏଁ ବ୍ୟାକଫୁଟରେ ଥିବା ବେଳେ ମୋଦି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଆହୁରି ତୀବ୍ର କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ ମନ୍ତବ୍ୟ ଦେଇଛନ୍ତି। ଓଡ଼ିଶା ସଂକ୍ରାନ୍ତ ପ୍ରଶ୍ନରେ ମୋଦି କହିଛନ୍ତି, “ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ବିପଦରେ ଅଛି। ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଉଥିଲା। ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରଛନ୍ତି। ବିଜେଡି ସହ ଆମର ସଂପର୍କ ରାଜ୍ୟରେ ପୂରା ଅଲଗା। ଓଡ଼ିଶାର ପୂରା ଅସ୍ମିତା ଏବେ ଶେଷ ହେବାକୁ ବସିଛି। ଓଡ଼ିଆ ଭାଷା ଓ ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି। ପ୍ରାକୃତିକ ସଂପଦରେ ଭରପୂର ରହିଛି ଓଡ଼ିଶା। ଏତେ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ୧ ନମ୍ବର ଧନୀ ରାଜ୍ୟ ହେବା କଥା। କିନ୍ତୁ ଓଡ଼ିଶାର ସ୍ଥିତି ଏବେ କଣ ଆପଣ ଦେଖୁଥିବେ। ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର। ଆମକୁ ସୁଯୋଗ ମିଳିଲେ, ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ”ବୋଲି ମୋଦି କହିଛନ୍ତି।

ତେବେ ନିର୍ବାଚନ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ବିଜେଡିକୁ କୌଣସି ଆକ୍ରମଣ କରିନଥିବାବେଳେ ଏବେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ି ଦୁଇ ଦଳ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ମୋଦି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିନଥିବା ବେଳେ ଓଡ଼ିଶା ଆସି ସେ ନିଜ ଆକ୍ରମଣକୁ କେତେ ଶାଣିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Related Posts