ପଦ୍ମପୁର ଉପନିର୍ବାଚନ; ଆସନ୍ତାକାଲିଠୁ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ, ୪ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପନିର୍ବାଚନ ପାଇଁ ଏବେ ପ୍ରଚାରରେ କମ୍ପୁଛି ପଦ୍ମପୁର। ତିନି ଦଳର ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଛନ୍ତି। ସେପଟେ ମାଳମାଳ ନେତା ମନ୍ତ୍ରୀ ସେଠାରେ ଡେରା ପକାଇ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଏସବୁ ଭିତରେ ଆସନ୍ତାକାଲିଠୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲିଠୁ ୪ ଦିନ ସେ ପଦ୍ମପୁରରେ ରୋଡ ସୋ’ କରିବା ସହିତ ପ୍ରଦୀପ ପୁରୋହିତଙ୍କ ପାଇଁ କ୍ୟାମ୍ପେନ୍ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ସୂଚନା ମୁତାବକ, ଆସନ୍ତାକାଲିଠୁ ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ । ୨୯ ତାରିଖଠୁ ଆରମ୍ଭ କରି ୩୦ ତାରିଖ, ୧ ତାରିଖ ଏବଂ ୩ ତାରିଖ ଦିନ ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ । ଏହି ୪ଦିନରେ ସେ ଏକାଧିକ ସ୍ଥାନରେ ରୋଡ୍ ସୋ କରିବା ସହିତ ଲୋକଙ୍କ ସୁଖଦୁଃଖ ବୁଝିବେ । ଖାଲି ସେତିକି ନୁହେଁ, ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସଭା କରିବେ ବୋଲି ମଧ୍ୟ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ତେବେ ଧର୍ମେନ୍ଦ୍ରଙ୍କ ପୂର୍ବରୁ ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପରେ ଏବେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ୍ମପୁରରେ ପ୍ରଚାର କରିବେ । ତେବେ ଧର୍ମେନ୍ଦ୍ରଙ୍କ ପ୍ରଚାର ବିଜେପି ଶିବିରକୁ ନୂଆ ଉର୍ଜା ଦେବ ବୋଲି ପୃଥ୍ୱୀରାଜ କହିଛନ୍ତି ।

Related Posts