ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ରେ ଉଭୟ ବିଜେଡି ଓ ବିଜେପି ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଉଥିବା ବେଳେ କଂଗ୍ରେସ ମଧ୍ୟ ଏହି ରେସରେ ନିଜକୁ ସାମିଲ କରିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ୨୦୨୪ ନିର୍ବାଚନରେ ୬୦ରୁ ୬୫ ଆସନରେ ଜିତିବ କଂଗ୍ରେସ । ଆମେ ଏକାକୀ ସରକାର ଗଠନ ନ କରି ପାରିଲେ ମଧ୍ୟ କାହାକୁ ପାର୍ଟ ଟାଇମ ସାଥୀ କରି ସରକାର ଗଢିବୁ ।

ଏହାସହିତ ନିଜ ଚିରାଚରିତ ଢଙ୍ଗରେ ସୁର କହିଛନ୍ତି ଯେ, ୨୦୨୪ ନିର୍ବାଚନ ପାଇଁ ବିଜେପି, ବିଜେଡି ଯେମିତି ରେଡ୍ଡି, କଂଗ୍ରେସ ବି ସେମିତି ରେଡ୍ଡି । ଏହାସହ ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଥିବା ବିଜେଡିର ମିଶନ ୧୨୫କୁ କଟାକ୍ଷ କରି ସୁର କହିଛନ୍ତି ଯେ, ସୁଶାନ୍ତ ଏତେ ଆସନରେ ଜିତିବାକୁ କହୁଛନ୍ତି, ସେ ଜାଣିଛନ୍ତି ନା ୧୨୫ କେତେରେ କେତେ ? ପଦ୍ମପୁରରେ ସିନା ଟଙ୍କା ଖର୍ଚ୍ଚ କରି ବିଜେଡି ଜିତିଗଲା, ସବୁଆଡେ କଣ ସେମିତି କରିପାରିବ । ୧୨୫ ଆସନରେ ଜିତିବାକୁ କେତେ ୪୦ କୋଟି ଖର୍ଚ୍ଚ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ୨୦୨୪ରେ ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ନେଇ ସୁର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଖାଲି ପଶ୍ଚିମ ଓଡ଼ିଶା କାହିଁକି ପୂରା ଓଡ଼ିଶାରେ ଲଢୁନାହାନ୍ତି, କିଏ ଆପତ୍ତି କରୁଛି କି ବୋଲି ପ୍ରଶ୍ନ କରିଛନ୍ତି ସୁର । କିନ୍ତୁ ପଶ୍ଚିମ ଓଡ଼ିଶାରେ ଆମେ ଭଲ ପ୍ରଦର୍ଶନ କରିବୁ । ପିସିସି ସଭାପତି ସେଥିପାଇଁ ପଶ୍ଚିମ ଓଡ଼ିଶାରୁ ଦିଆଯାଇଛି । ୨୦୨୪ରେ ଜୋରଦାର ଲଢେଇ ହେବ ବୋଲି କହିଛନ୍ତି ସୁର ।

ସେ ଆହୁରି କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନକୁ ନେଇ ଯାହା କହିଥିଲି ତାହା ସତ ହେଲା କି ନାହିଁ? ବିଜେଡି ୪୦ କୋଟି ଖର୍ଚ୍ଚ କରି ଏକ ନମ୍ବରରେ ରହିଲା, ୨୦ କୋଟି ଖର୍ଚ୍ଚ କରି ବିଜେପି ୨ ନମ୍ବର ଓ ୩୦ ଲକ୍ଷ ଖର୍ଚ୍ଚ କରି କଂଗ୍ରେସ ୩ ନମ୍ବରରେ ରହିଲା । ସେହିପରି କଂଗ୍ରେସ ୨୦୨୪ରେ ସରକାରକୁ ଫେରିବ।