ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପିଟି ଉଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ପ୍ରସିଦ୍ଧ ମହିଳା ରନର ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏସିଆ ମହାଦେଶରେ ଅନେକ ପଦକ ଜିତିଥିବା ଓ ୧୯୮୪ ମସିହାରେ ଲସ୍ ଏଞ୍ଜେଲ୍ସ ଠାରେ ଅଲମ୍ପିକ ଖେଳର ୪୦୦ ମିଟର ଦୌଡରେ ଚତୁର୍ଥ ସ୍ଥାନ ହାସଲ କରିଥିବା ୫୮ ବର୍ଷିୟା ଉଷାଙ୍କୁ ନିର୍ବାଚନ ପରେ ନିଦ୍ୱନ୍ଦରେ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି ।

ପିଟି ଉଷାଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରିବା ପରେ ଭାରତୀୟ ଅଲମ୍ପିକ ସଂଘକୁ ନେଇ ଲାଗିରହିଥିବା ରାଜନୀତି ମଧ୍ୟ ସମାପ୍ତ ହୋଇଛି । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ତରଫରୁ ଭାରତୀୟ ଅଲମ୍ପିକ ସଂଘ ନିର୍ବାଚନରେ ଡେରି କରୁଥିବା ନେଇ ଚଳିତମାସ ନିଲମ୍ବନ କରିବାକୁ ଚେତାବନୀ ଦେଇଥିଲା । ଏହି ନିର୍ବାଚନ ଡିସେମ୍ବର ୨୦୨୧ ରେ ହେବାକୁ ଥିଲା । ହେଲେ କୌଣସି କାରଣରୁ ଏହା ଗୋଟିଏ ବର୍ଷ ବିଳମ୍ବରେ ହୋଇଛି । ହେଲେ ଗତମାସରୁ ଏହା ସ୍ପଷ୍ଟ ହୋଇଯାଇଥିଲା କି ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । କାରଣ ତାଙ୍କ ବିରୋଧରେ ନିର୍ବାଚନ ଲଢିବାକୁ କେହି ନାମାଙ୍କନ କରି ନଥିଲେ । ସେପଟେ ଜୁଲାଇ ମାସରେ ଭାରତୀୟ ଜନତାପାର୍ଟି ପିଟି ଉଷାଙ୍କ ନାମ ରାଜ୍ୟସଭା ପାଇଁ ନାମିତ କରିଥିଲା ।

ଭାରତର ଦୌଡରାଣୀ ଭାବେ ପରିଚିତ ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ୯୫ ବର୍ଷର ଇତିହାସ ଭାଙ୍ଗିଛନ୍ତି । ଏହା ପୂର୍ବରୁ ଭାରତୀୟ ଅଲମ୍ପିକ ସଂଘର କେହି ବି ଅଲମ୍ପିକ ଖେଳାଳୀ କିମ୍ବା ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇନଥିଲେ । ଏହାସହିତ ଏହି ପଦରେ ବସୁଥିବା ସେ ପ୍ରଥମ ମହିଳା ହୋଇ ପାରିଛନ୍ତି।

Related Posts