ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡ଼ିକୁ ଦେଖିବା ପାଇଁ ପୁରା ସିନେମା ହଲ ବୁକ୍ କଲେ ପାକିସ୍ତାନ ଅଭିନେତା

ମୁମ୍ବାଇ: ୧୦୦କୋଟି କ୍ଲବରେ ସାମିଲ ହୋଇଛି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡ଼ି’ । ଏହି ସୁପରହିଟ ଫିଲ୍ମ୍ କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ଆଲିଆଙ୍କ ଦମଦାର ଅଭିନୟ କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ପରଦାରେ ମୁମ୍ବାଇର ମାଫିଆ ରାଣୀ ଭୂମିକାରେ ଅଭିନୟ କରି ଆଲିଆ ଅଭିନୟରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ତେବେ ଆଲିଆଙ୍କ ଏହି ଫିଲ୍ମ ଦେଖିବା ପାଇଁ ଜଣେ ପାକିସ୍ତାନୀ ଅଭିନେତା ପୁରା ସିନେମା ହଲ ବୁକ୍ କରିଥିବା ଜଣାପଡ଼ିଛି।

ପାକିସ୍ତାନୀ ଅଭିନେତା ମୁନିବ ବଟ ତାଙ୍କ ପତ୍ନୀଙ୍କୁ ‘ସରପ୍ରାଇଜ୍’ ଦେବାକୁ ଏଭଳି କରିଥିବା ଜଣାପଡ଼ିଛି। କିନ୍ତୁ ତାଙ୍କର ଏହି ବିଶେଷ ‘ସରପ୍ରାଇଜ୍’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ମୁତାବକ, ମୁନିବ ବଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅଇମାନ ଖାନ୍ ଆଲିଆ ଭଟ୍ଟଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ପ୍ରେକ୍ଷାଳୟରେ ତାଙ୍କ ଫିଲ୍ମ ଦେଖିବାକୁ ସେ ବହୁତ ଉତ୍ସାହିତ ଥିଲେ। ଏଥିପାଇଁ ପତ୍ନୀଙ୍କୁ ଖୁସି କରିବାକୁ ମୁନିବ ପୁରା ସିନେମା ହଲକୁ ବୁକ୍ କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ରାଜି’ ଓ ‘ଡିୟର ଜିନ୍ଦେଗୀ’ ପରେ ଆଲିଆ ଭଟ୍ଟ ‘ଗଙ୍ଗୁବାଇ କାଠିଆବାଡ଼ି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ଜଣେ ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ‘ଗଙ୍ଗୁବାଇ କାଠିଆୱାଡି’ରେ ମାଫିଆ ରାଣୀ ଭୂମିକାରେ ଲୋକମାନେ ଆଲିଆଙ୍କୁ ବହୁତ ପସନ୍ଦ କରିଛନ୍ତି। ସେଥିପାଇଁ ଫିଲ୍ମଟି ପ୍ରଥମ ଦିନରେ ୧୦.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୧୩.୩୨କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ସଞ୍ଜୟ ଲୀଲା ବଂସାଲୀଙ୍କ ଫିଲ୍ମ ୨୩.୮୨ କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୧୦୦କୋଟି କ୍ଲବରେ ସାମିଲ ହୋଇପାରିଛି।

Related Posts