ପାଖେଇ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ : କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗଙ୍କ ସୁପାରିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପାଖେଇ ଆସିଲାଣି ପୌର ଏବଂ ପଞ୍ଚାୟତ ନିର୍ବାଚନ । ପୌର ନିର୍ବାଚନ ବିଳମ୍ବ ହେଉଥିବା କାରଣରୁ ପଞ୍ଚାୟତ ନିର୍ବାଚନ କାଳେ ଅଧିକ ବିଳମ୍ବ ହେବ ସେ ନେଇ ବିରୋଧୀଙ୍କ କ୍ୟାମ୍ପରୁ ବିରୋଧର ସ୍ୱର ଉଠିଲାଣି। ଏହି ପ୍ରସଙ୍ଗରେ ଏବେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ପରିସ୍ଥିତିରେ। ଯଦି ସବୁ କିଛି ଠିକ୍ ଠାକ୍ ରୁହେ ତେବେ ୨୦୨୨ ମାର୍ଚ୍ଚ ମାସରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନ ତ ଆଗକୁ ହେବାକୁ ଯାଉଛି କିନ୍ତୁ ଏହାପୂର୍ବରୁ ସବୁ ପୌର ଏବଂ ପଞ୍ଚାୟତ ସ୍ତରରେ ଯେଉଁସବୁ ମୌଳିକ ସୁବିଧା ଉପଲବ୍ଧ ହେବା କଥା ତାହା କିନ୍ତୁ ହୋଇ ପାରିଲା ନାହିଁ। ପଞ୍ଚାୟତ ଏବଂ ପୌରପାଳିକା ସ୍ତରରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ରାଜ୍ୟ ସରକାରଙ୍କୁ ଯେଉଁସବୁ ସୁପାରିସ କରିଥିଲେ ତାହା ପୂରଣ ହୋଇ ନାହିଁ । ଅଭିଯୋଗ ହେଉଛି ସରକାର ଟଙ୍କା ତ ଖର୍ଚ୍ଚ କରୁଛନ୍ତି କିନ୍ତୁ ମୌଳିକ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ରାଜ୍ୟରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଅର୍ଥ ଆୟୋଗଙ୍କ ସୁପାରିସକୁ ସଠିକ୍ ଦିଗରେ ପାଳନ କରୁ ନ ଥିବାରୁ ଏହାକୁ କିଭଳି ପାଳନ କରାଯିବ ସେ ନେଇ ପଞ୍ଚମ ଅର୍ଥ ଆୟୋଗ ରବିନାରାୟଣ ସେନାପତିଙ୍କ ଟିମ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସରେ ଦର୍ଶାଯାଇଥିଲା।

ଆୟୋଗଙ୍କ ସୁପାରିଶ ଅନୁଯାୟୀ ଯେଉଁ ପଞ୍ଚାୟତ ଗୁଡ଼ିକରେ ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ନାହିଁ ସେଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲି ଏ ସବୁ ସେବା ଯୋଗାଇ ଦେବାକୁ ସୁପାରିସ କରାଯାଇଥିଲା।

ତେବେ ମିଳିଥିବା ସୂଚନା ମୁତାବକ ସମଗ୍ର ରାଜ୍ୟରେ ପ୍ରାୟ ୪ହଜାର ୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଏବଂ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନାହିଁ। ଫଳରେ ଲୋକେ ମୌଳିକ ସୁବିଧାରୁ ଏବେ ବି ବଞ୍ଚିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ଯେଉଁ ସବୁ ଜନହିତକର ଯୋଜନା ହାତକୁ ନେଇଛନ୍ତି ତାହା ଗ୍ରାଉଣ୍ଡ ସ୍ତରରେ ସଫଳ ରୂପାୟନ ହୋଇପାରୁନାହିଁ। ମତ ପ୍ରକାଶ ପାଇଛି ଯେ ଯଦି ପଞ୍ଚାୟତସ୍ତରରେ ସରକାର ଆନୁଷ୍ଠାନିକ ଭିତ୍ତିଭୂମିକୁ ସୁଦୃଢ଼ କରନ୍ତି ତେବେ ମାନବ ସମ୍ବଳର ସୁବିନିଯୋଗ ହୋଇପାରନ୍ତା ଏବଂ ଲୋକେ ଉପକୃତ ହୋଇପାରନ୍ତେ। ଏ ସବୁ ଦୃଷ୍ଟି କୋଣରୁ ଏହି ଦୁଇଟି ବିଭାଗ ସହିତ ଅନ୍ୟାନ୍ୟ ବିଭାଗଗୁଡିକ କିଭଳି ରାଜ୍ୟ ସରକାରଙ୍କ ଅର୍ଥ ବିନିଯୋଗ କରିବେ ସେ ନେଇ ରାଜ୍ୟ ପଞ୍ଚମ ଅର୍ଥ କମିସନ ସରକାରଙ୍କୁ ୫୫ଟି ଦିଗରେ ସୁପାରିସ କରିଥିଲେ।

ଏଥିପାଇଁ ଆୟୋଗ ସୁପାରିସ କରିଥିଲେ ଯେ ପଞ୍ଚାୟତିରାଜ ବିଭାଗ ପାଇଁ ୫ ହଜାର ୫୪କୋଟି ଟଙ୍କା ଓ ୧୧୪ ପୌରାଞ୍ଚଳ ଓ ୫ ମହାନଗର ନିଗମ ପାଇଁ ୧୮୦୦କୋଟି ଟଙ୍କା ବ୍ୟୟ ବରାଦ କରାଯିବାର ଆବଶ୍ୟକତା ରହିଛି । ଏହି ଅର୍ଥରେ ପଞ୍ଚାୟତ ଓ ପୌରପାଳିକା ସ୍ତରରେ ବିଶୁଦ୍ଧ ପାନୀୟ ଜଳଯୋଗାଣ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଗାଁ ହାଟର ଉନ୍ନତି, ଜଳସଂରକ୍ଷଣ ବ୍ୟବସ୍ଥା, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଥିଲା।

ଏତଦ୍ ବ୍ୟତୀତ ପଞ୍ଚାୟତ ଓ ପୌରାଞ୍ଚଳରେ ରାଜସ୍ବ ସୃଷ୍ଟି କରିବା ପାଇଁ ଆୟୋଗ କିଛି ପରାମର୍ଶ ଦେଇଥିଲେ। ଆ‌େ‌ୟାଗଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ପଞ୍ଚାୟତ ପ୍ରତିନିଧିମାନେ ତାଲିମପ୍ରାପ୍ତ ହେବେ ତେବେ ସରକାର ହାତକୁ ନେଉଥିବା ସମସ୍ତ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ଫଳରେ ଠିକାଦାରମାନେ ଏଥିରେ ଚଞ୍ଚକତା କରିପାରିବେ ନାହିଁ ଏବଂ ଆୟବ୍ୟୟର ସଠିକ୍ ହିସାବ ରହିପାରିବ।

ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ କଠିନବର୍ଜ୍ୟବସ୍ତୁର ସୁପରିଚାଳନା ହେଉ ନ ଥିବା କାରଣରୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ତାମିଲନାଡୁ ଢାଞ୍ଚାରେ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା ପାଇଁ ଆୟୋଗ ସୁପାରିସ କରିଥିଲେ। ପଞ୍ଚାୟତ ସ୍ତରରେ ନେଟୱାର୍କ ସୁବିଧା ଏବଂ ବ୍ଯାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ଉପରେ ଆୟୋଗ ଜୋର ଦେଇଥିଲେ। ରାଜସ୍ବ ବୃଦ୍ଧି କରିବା ପାଇଁ ପଞ୍ଚାୟତ ଖଜଣା ଆଦାୟ ଉପରେ କମିସନ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ କୋଠାବାଡି ଯୋଜନା ଅନୁମୋଦନ, ପାର୍କିଂ ,ସମ୍ପତ୍ତି ବା ବିଭିନ୍ନ ଶକ୍ତି ଶିଳ୍ପସଂସ୍ଥା ଓ ଘରୋଇ ଚିକିତ୍ସାଳୟରୁ କର ଆଦାୟ କରିବା ଉପରେ ବିଚାର କରିବାକୁ ଆୟୋଗ ସୁପାରିଶ କରିଥିଲେ। ରାଜ୍ୟରେ କାର୍ଯ୍ୟ କରୁଥିବା ‘ସୁଡା’ର ଅତ୍ୟାଧୁନିକୀକରଣର ଆବଶ୍ୟକତା ଥିବା ନେଇ ସୁପାରିଶ କରିଥିଲେ।

ସରକାର ଯେତେବେଳ ବିଭିନ୍ନ ଜନହିତକର ଯୋଜନା ଲାଗୁ କରୁଛନ୍ତି ସେତେବେଳେ ଯେଉଁସବୁ ତାଲିମ ଦେବାର ଅାବଶ୍ୟକତା ରହିଛି ବା ଗୁଣବତ୍ତା ମାନବ ସମ୍ବଳ ବାହାରିବା କଥା ତାହାକୁ କାର୍ଯ୍ୟକାରୀ କରିବାରେ ସୁଡ଼ା ସକ୍ଷମ ହେଉନଥିବା ଆୟୋଗ ସୁପାରିଶ କରିଛନ୍ତି। ରାଜ୍ୟରେ ଇ-ଗଭର୍ଣ୍ଣାନ୍ସ ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିନଥିବା ଆୟୋଗ ଦର୍ଶାଇ ଥିଲେ। ଅନ୍ୟପକ୍ଷରେ ପୌରସଂସ୍ଥାରେ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବାର ସୁଯୋଗ ରହିଥିଲେ ମଧ୍ୟ ତାହା କରାଯାଉନଥିବା ନେଇ କୁହାଯାଇଥିଲା। ଯଦି ପୌରସଂସ୍ଥା ଗୁଡ଼ିକର ନିଜସ୍ବ ରାଜସ୍ବ ବୃଦ୍ଧି କରି ପାରନ୍ତି ତେବେ ପୌରାଞ୍ଚଳବାସୀଙ୍କୁ ସରକାରଙ୍କ ସୁବିଧା ସୁଯୋଗ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳିପାରନ୍ତା ବୋଲି ଆୟୋଗ ଜଣାଇଥିଲେ । ଏଥିପାଇଁ ସମ୍ପତ୍ତି ଟିକସଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଓ ପାର୍କିଂ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ଆୟୋଗ ଦର୍ଶାଇଥିଲେ। କିନ୍ତୁ ଆୟୋଗ ଜଣାଇଥିବା ଏସବୁ ପରାମର୍ଶ ଅଧିକାଂଶ ପୌରାଞ୍ଚଳରେ କେବଳ କାଗଜ କଲମରେ ସୀମିତ ରହିଥିବା ଜଣାପଡିଛି।

Related Posts