ପେଗାସସ୍ ମାମଲା: ଜାସୁସି ଅଭିଯୋଗକୁ ସୁପ୍ରିମକୋର୍ଟରେ ଖଣ୍ଡନ କଲେ କେନ୍ଦ୍ର ସରକାର , ଯାଞ୍ଚ ପାଇଁ ଗଠନ ହେବ କମିଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ବହୁ ବିବାଦୀୟ ପେଗାସସ୍ ଜାସୁସି ଅଭିଯୋଗକୁ ସୁପ୍ରିମକୋର୍ଟରେ ଖଣ୍ଡନ କଲେ କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟରେ ପେଗାସସ୍ ମାମଲାକୁ ନେଇ ଶୁଣାଣି ଥିବା ବେଳେ ବିରୋଧୀ ଦଳର ନେତା, ପୂର୍ବ କେନ୍ଦ୍ରମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତା, ସାମ୍ବାଦିକ, ସୁପ୍ରିମକୋର୍ଟର ପୂର୍ବତନ ଜଜ୍, ବରିଷ୍ଠ ଅଧିକାରୀ, ବେସରକାରୀ ସଂଗଠନ ବିରୋଧରେ ଜାସୁସି ଅଭିଯୋଗକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛି। ତେବେ ଏହି ଅଭିଯୋଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି।  ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଯାଞ୍ଚ୍ କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦୁଇ ପୃଷ୍ଠାର ଆଫିଡେଭିଟ୍‌ରେ ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ସଚିବ କହିଛନ୍ତି ଯେ , ସ୍ପାଏୱେୟାର ବ୍ୟବହାର କରି ଫୋନ୍‌ ହ୍ୟାକିଂ କରିଥିବା ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରୁଛନ୍ତି । ଏହା ସହ ପେଗାସସ୍ ଦୁର୍ନୀତିର ଯାଞ୍ଚ ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଆଫିଡେଭିଟ୍‌ରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ ସମେତ ବରିଷ୍ଠ ସାମ୍ବାଦିକ ଏନ୍‌ ରାମ , ଶଶୀ କୁମାର, ଟିଏମସି ନେତା ଯଶବନ୍ତ ସିହ୍ନା ପ୍ରମୁଖଙ୍କ ପକ୍ଷରୁ କରାଯାଇଥିବା ୯ଟି ପୃଥକ ଆବେଦନର ଶୁଣାଣି ଆଜି କରାଯାଇଥିଲା। ପେଗାସସ୍ ମାମଲାରେ କେନ୍ଦ୍ରକୁ ଜବାବ ମଗାଯାଇଥିବା ବେଳେ ଆଜି କେନ୍ଦ୍ର ସରକାର ଦୁଇ ପୃଷ୍ଠାରେ ନିଜର ଉତ୍ତର ରଖିଥିଲେ। 

ଚଳିତ ମୌସୁମୀ ଅଧିବେଶନ ପୂର୍ବରୁ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାର ନାମ ଥିଲା ପେଗାସସ୍ ପ୍ରୋଜେକ୍ଟ। ଏଥିରେ ଦାବି କରାଯାଇଥିଲା ଯେ, ଭାରତର ୩୦୦ ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ଟ୍ୟାପିଂ କରାଯାଇଛି। ତେବେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ପୁରା ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଜୋରଦାର ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। 

ଏମିତିକି ରାଜ୍ୟସଭାରେ ଅଧିବେଶନର ଶେଷ ଦିନରେ ଏକ ଅପ୍ରତ୍ୟାଶିତ ପରିସ୍ଥିତି ଦେଖିବାକୁ ମିଳିଥିଲା।  ସେହିଦିନ ମାର୍ଶଲ ଏବଂ ମହିଳା ସାଂସଦଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ଫୁଟେଜ ପ୍ରକାଶ ପାଇଥିଲା।  ଏଥି ସହିତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରାମନା ମଧ୍ୟ ସ୍ୱାଧୀନତା ଦିବସ ଦିନ ଏକ କାର୍ଯ୍ୟକ୍ରମରେ ସଂସଦରେ ଉପଯୁକ୍ତ ଆଲୋଚନା ହୋଇ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

ପେଗାସସ୍ ଜାସୁସି ପ୍ରସଙ୍ଗରେ ବିଶ୍ବର ବିଭିନ୍ନ ଦେଶରେ ହଲଚଲ ସୃଷ୍ଟି ହୋଇଛି। ଫ୍ରାନ୍ସ ସମେତ ଅନେକ ଦେଶ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ଆବେଦନକାରୀମାନେ ଯୁକ୍ତି ମଧ୍ୟ କରିଛନ୍ତି ଯେ ଯେତେବେଳେ ଅନ୍ୟ ଦେଶରେ ଅନୁସନ୍ଧାନ ଚାଲିଛି, ଭାରତରେ କାହିଁକି ନୁହେଁ। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଭଳି ଗୁପ୍ତଚର ସମ୍ବନ୍ଧରେ NSO ସହିତ କୌଣସି କାରବାରକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।

Related Posts