ଅର୍ଥ ଅଭାବରୁ ଜୋରିମାନା ଦେବାକୁ ପୁଅର ପିଗି ବ୍ୟାଙ୍କରୁ ଟଙ୍କା ନେଇ ଆସିଥିଲେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଟୋ ଡ୍ରାଇଭର , ଫାଇନ୍‌ ଭରିଲେ ପୁଲିସ ବାବୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପୁଲିସ ସବୁବେଳେ ନିଜର କଠୋର ଭାବମୂର୍ତ୍ତି ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ଆଇନର ରକ୍ଷକ ଭାବେ କଡା ଆଭିମୁଖ୍ୟ ଗ୍ରହଣ କରିଥାନ୍ତି। ତେବେ ନାଗପୁରର ଜଣେ ପୁଲିସ ବାବୁ ବି ବିଶାଳ ହୃଦୟ ଦେଖାଇ ଏବେ ଚର୍ଚ୍ଚାରେ ଅଛନ୍ତି। ଟ୍ରାଫିକ୍ ନିୟମ ଭାଙ୍ଗି ଥିବା ଜଣେ ଅଟୋ ଡ୍ରାଇଭର ପାଇଁ ଫାଇନ୍‌ ଭରି ଏବେ ଚର୍ଚ୍ଚାରେ ଅଛନ୍ତି ନାଗପୁରର ଜଣେ ପୁଲିସ ବାବୁ।

ନିକଟରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନାଗପୁର ପୋଲିସ ଅଟୋ ଡ୍ରାଇଭର ରୋହିତ ଖାଡସେଙ୍କୁ ଜୋରିମାନା ଲଗାଇଥିଲା। ଏବଂ ତାଙ୍କ ଅଟୋ ମଧ୍ୟ ଜବତ କରିଥିଲା। ନାଗପୁର ପୋଲିସର ସୂଚନାନୁସାରେ, ଯୁବ ଡ୍ରାଇଭର ଜଣକ ରୋଜଗାର ପାଇଁ କେବଳ ଅଟୋରିକ୍ସା ଉପରେ ନିର୍ଭର। ତେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଅଟୋ ଡ୍ରାଇଭରଙ୍କ ନାଁରେ ୨୦୦୦ ଟଙ୍କା ଚାଲାଣ କାଟିଥିଲା ଟ୍ରାଫିକ୍ ପୋଲିସ । 

କେବଳ ସେତିକି ନୁହେଁ ଉକ୍ତ ଅଟୋ ଡ୍ରାଇଭରଙ୍କ ଅଟୋକୁ ମଧ୍ୟ ସେ ଜବତ କରିନେଇଥିଲେ। ତେବେ ଫାଇନ୍‌ ଭରିବାକୁ ଅଟୋ ଡ୍ରାଇଭର ଜଣକ ଅସମର୍ଥ ଥିଲେ। ଫଳରେ ସେ ବାଧ୍ୟ ହୋଇ ଫାଇନ୍‌ ଦେବାକୁ ତାଙ୍କ କୁନି ପୁଅ ସଞ୍ଚିତ କରି ରଖିଥିବା ପିଗି ବ୍ୟାଙ୍କରୁ ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ। ଅଟୋ ଡ୍ରାଇଭର ଜଣକ କାନ୍ଦି କାନ୍ଦି ସୀତାବୁଲ୍‌ଦି ଟ୍ରାଫିକ ଡିଭିଜନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଅଜୟକୁମାର ମାଲବିୟାଙ୍କ ନିକଟକୁ ଯାଇ କହିଥିଲେ ଯେ ସେ ଜରିମାନା ଦେବାକୁ ପ୍ରସ୍ତୁତ କିନ୍ତୁ ତାଙ୍କ ଅଟୋକୁ ତାଙ୍କୁ ଫେରାଇ ଦିଆଯାଉ। 

କୁନି ପୁଅର ପିଗି ବ୍ୟାଗ୍ ଦେଖି ପୋଲିସ ଅଧିକାରୀ ଜଣକ ପଚାରିଥିଲେ ଘଟଣା କଣ କୁହନ୍ତୁ। ଏହାପରେ ସେ ଅଟୋ ଚାଳକଙ୍କ ଆର୍ଥିକ ଅସୁବିଧା ବିଷୟରେ ଜାଣିବା ପରେ ମାଲବିୟା ଛୋଟ ପିଲାଟିର ସଞ୍ଚିତ ଟଙ୍କାକୁ ଫେରସ୍ତ କରିଥିଲେ । ଏହା ସଙ୍ଗେ ସଙ୍ଗେ ନିଜ ପକେଟରୁ ଟଙ୍କା କାଢି ଜୋରିମାନା ଭରିଥିଲେ। ନାଗପୁର ପୋଲିସ ମାଲବିୟାଙ୍କ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। 

ନାଗପୁର ପୋଲିସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଟ୍ରାଫିକ ପୋଲିସ ଅଗଷ୍ଟ ୮ ରେ ଅଟୋ ଡ୍ରାଇଭରକୁ ନୋ ପାର୍କିଂ ଜୋନରେ ପାର୍କିଂ କରିଥିବାରୁ ଜରିମାନା ଲଗାଇଥିଲା। ଯେହେତୁ ତାଙ୍କ ନାମ ବିରୁଦ୍ଧରେ ପୂର୍ବରୁ ଚାଲାଣ ଭରି ନଥିବାର ଅଭିଯୋଗ ଥିଲା, ତାଙ୍କ ଅଟୋ ଜବତ କରାଯାଇଥିଲା ।

ଦୀର୍ଘ ଦିନ ଧରି ଲକଡାଉନ୍ ହେତୁ ଅଟୋ ଚାଳକ ପୂର୍ବରୁ ଋଣଗ୍ରସ୍ତ ଥିଲେ ଏବଂ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ତେବେ ଜୋରିମାନା ଲାଗୁ କରାଯିବା ପରେ ପୁଅର ପିଗି ବ୍ୟାଙ୍କ ସଞ୍ଚୟ ଟଙ୍କାକୁ ନେଇ ଫାଇନ ଦେବାକୁ ଆସିଥିଲେ। ତେବେ ପୋଲିସ ଅଧିକାରୀ ନିଜ ହାତରୁ ଟଙ୍କା ଦେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବାକୁ ଡ୍ରାଇଭରକୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। ବର୍ତ୍ତମାନ ପୋଲିସ ବାବୁଙ୍କ ଏହି ମହାନ କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। 

Related Posts